ଭୁବନେଶ୍ୱର:୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତୀୟ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା ।
ଏଥିରେ ୪୪ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ ।
ଏହି ଆକ୍ରମଣରେ ଶହୀଦ ହୋଇଥିବା ୪୪ ଜଣ ବୀରଙ୍କ ଭିତରେ ଥିଲେ ଓଡ଼ିଶାର ଦୁଇ ପୁଅ ।
ସେମାନେ ହେଲେ, ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା ।
ମନୋଜ କୁମାର ବେହେରା:
କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ଗାଁର ମନୋଜ କୁମାର ବେହେରା । ବାପା ମାଆ, ନବ ବିବାହିତା ପତ୍ନୀ ଓ ୨ ମାସର ଶିଶୁ କନ୍ୟାଙ୍କୁ ନେଇ ମନୋଜଙ୍କ ପରିବାର । ଶାନ୍ତ ସ୍ଵଭାବ ବିଶିଷ୍ଟ ମନୋଜ ଥିଲେ ଘରଠୁ ପର ସଭିଙ୍କ ଆପଣାର । ମନୋଜଙ୍କ ବିୟୋଗରେ ତାଙ୍କୁ ଆଜି ଝୁରୁଛି ତାଙ୍କ ଗାଁ ମାଟି । ପୁଅଠୁ ବଳି ମନୋଜଙ୍କୁ ଝୁରୁଛନ୍ତି ଗାଁ ଲୋକ ସାହି ପଡିଶା। ବାପା ମାଆ ଯବାନ ପୁଅର ଫଟୋକୁ ଦେଖି ଦେଖି ଦିନ କାଟୁଛନ୍ତି।
ବର୍ଷେ ବିତି ଯାଇଥିଲେ ବି ଆଜିଯାଏଁ ଶୁଖିନି ମନୋଜଙ୍କ ବାପା ମାଆଙ୍କ ଆଖିର ଲୁହ । ପୁଅକୁ ମନେ ପକାଇ ବାପା ଛାତିକୁ ପଥର କରି ଦେଇଥିଲେ ସୁଦ୍ଧା ଆଜିବି ବହୁନି କାନ୍ଦୁଛି ମା’ ।
ପ୍ରସନ୍ନ କୁମାର ସାହୁ:
ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମରେ ଶହୀଦ ପ୍ରସନ୍ନ କୁମାର ସାହୁଙ୍କ ଜନ୍ମସ୍ଥାନ । ବୀର ସୁପୁତ୍ରକୁ ଏହି ମାଟି ନିଜ ବକ୍ଷରେ ସ୍ଥାନ ଦେଇ ସିନା ମହାନ ହୋଇଗଲା କିନ୍ତୁ ଏହି ମାଟି ମାଆର ସୁରକ୍ଷା ସକାଶେ ଆଜି ବାପ ଛେଉଣ୍ଡ ହୋଇଗଲେ ପ୍ରସନ୍ନଙ୍କ ପିଲା। ସ୍ତ୍ରୀ ପିଲାଙ୍କୁ ନେଇ ପ୍ରସନ୍ନ ଗଢିଥିବା ଛୋଟ ସଂସାର ଭାର ଆଜି ତାଙ୍କ ପତ୍ନୀଙ୍କ କାନ୍ଧରେ ।
ବୀର ପ୍ରସନ୍ନଙ୍କ ବିୟୋଗରେ ମ୍ରିୟମାଣ ନହୋଇଯାଇ ନିଜ ଦୁଇ ପିଲାଙ୍କୁ ମଣିଷ ପରି ମଣିଷ କରି ଗଢି ତୋଳିବା ପାଇଁ ଅଣ୍ଟା ସଳଖି ଛିଡା ହୋଇଛନ୍ତି ଏହି ବୀରଙ୍କ ବିରାଙ୍ଗନା ପତ୍ନୀ ।
Comments are closed.