Latest Odisha News

BREAKING NEWS

ପାର୍ଥବ କଲେ ନାହିଁ ଆବେଦନ, ପ୍ରଜ୍ଞାନ ଚୟନ କମିଟି ମୂଖ୍ୟ ପଦ ବଜାୟ ରଖିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ସିନିୟର ପୁରୁଷ ଚୟନ କମିଟିର ପଶ୍ଚିମ କ୍ଷେତ୍ର ପ୍ରତିନିଧି ପଦକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ପଦ ପାଇଁ ପୂର୍ବତନ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ପାର୍ଥବ ପଟେଲ ଆବେଦନ କରିନାହାନ୍ତି, ଯାହାଫଳରେ ବର୍ତ୍ତମାନର ଅଧ୍ୟକ୍ଷଙ୍କ କାର‌୍ୟ୍ୟକାଳକୁ ନେଇ ନୂଆ ସମୀକରଣ ସାମ୍ନାକୁ ଆସିଛି । ପୂର୍ବରୁ ଏହି ପଦ ପାଇଁ ଅଜିତ ଅଗରକରଙ୍କ ସ୍ଥାନ ନେବାକୁ ପାର୍ଥବ ପଟେଲଙ୍କୁ ସବୁଠାରୁ ପ୍ରବଳ ଦାବିଦାର ଭାବେ ବିଚାର କରାଯାଉଥିଲା । କିନ୍ତୁ, ନିର୍ଦ୍ଧାରିତ ସମୟସୀମା (ବୁଧବାର ସନ୍ଧ୍ୟା ୫ଟା) ମଧ୍ୟରେ ସେ ଏହି ପଦ ପାଇଁ ଆବେଦନ କରିନାହାନ୍ତି । ସୂଚନା ଅନୁଯାୟୀ, ବର୍ତ୍ତମାନ ସେ ଗୁଜରାଟ ଟାଇଟନ୍ସର କୋଚିଂ ଷ୍ଟାଫ୍ ଏବଂ କମେଣ୍ଟ୍ରି ଦାୟିତ୍ୱରେ ବ୍ୟସ୍ତ ରହିଥିବାରୁ ଏହି ନିଷ୍ପତ୍ତି ନେଇଥାଇପାରନ୍ତି ।

ପାର୍ଥବ ଆବେଦନ ନ କରିବାରୁ, ବର୍ତ୍ତମାନର ଚୟନକର୍ତ୍ତା ତଥା ପୂର୍ବତନ ସ୍ପିନର୍ ପ୍ରଜ୍ଞାନ ଓଝାଙ୍କୁ ନିଜ କାର‌୍ୟ୍ୟକାଳର ବାକି ସମୟ ପାଇଁ ଚୟନ କମିଟିର ଅଧ୍ୟକ୍ଷ ଭାବେ ଜାରି ରଖିବାର ସମ୍ଭାବନା ବହୁମାତ୍ରାରେ ବଢ଼ିଯାଇଛି । ଓଝାଙ୍କ ପାଖରେ ବର୍ତ୍ତମାନର ଚୟନକର୍ତ୍ତାମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି । ପଶ୍ଚିମ କ୍ଷେତ୍ରର ପ୍ରତିନିଧି ପଦ ପାଇଁ ପୂର୍ବତନ କ୍ରିକେଟର୍ ତଥା କୋଚ୍ ରମେଶ ପାୱାର ଏବଂ ଅଭିଜ୍ଞ ୱିକେଟ୍ କିପର୍ ସମୀର ଦିଘେଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ଏହି ଦୁହେଁ ପୂର୍ବରୁ ମଧ୍ୟ ଚୟନକର୍ତ୍ତା ପଦ ପାଇଁ ଆବେଦନ କରିଥିଲେ । ବିସିସିଆଇ ଆଗାମୀ ଦିନରେ ଆବେଦନ ସମୟସୀମାକୁ ପୁନର୍ବାର ବୃଦ୍ଧି କରୁଛି କିମ୍ବା ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ କାହାକୁ ଚୟନ କରୁଛି, ସେ ନେଇ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.