ମୁମ୍ବାଇ: ବାହା ହେବେ ବଲିଉଡ୍ ଭାଇଜାନ୍?
ବାପା ହେବେ ବୋଲି ଖୋଲିକି କହିଲେ ମନର କଥା!
କରନ ଜୋହରଙ୍କ ଶୋ’ରେ କଲେ ବଡ ଖୁଲାସା । ତେବେ ବଲିଉଡ୍ର ଲୋକପ୍ରିୟ ସେଲିବ୍ରିଟି ଟକ୍ ଶୋ’ ‘କଫି ୱିଥ୍ କରଣ’ର ସିଜନ୍ ୯ର ପ୍ରିମିୟର୍ ଏପିସୋଡ୍ରେ ଅତିଥି ହୋଇ ଆସିଛନ୍ତି ସୁପରଷ୍ଟାର ସଲମାନ ଖାନ୍। ଶୋ’ର ହୋଷ୍ଟ୍ ତଥା ଫିଲ୍ମ ନିର୍ମାତା କରନ ଜୋହରଙ୍କ ସହ କଥାବାର୍ତ୍ତା ବେଳେ ସଲମାନ ନିଜ ବ୍ୟକ୍ତିଗତ ଜୀବନ, ବିବାହ ଓ ବାପା ହେବାର ଇଚ୍ଛାକୁ ନେଇ ଏମିତି କିଛି କଥା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା।
ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ କେବେ ବାହା ହେବେ? କାହିଁକି ଏଯାଏଁ ବିବାହ କରିନାହାନ୍ତି? ତାଙ୍କ ଜୀବନରେ କ’ଣ ସେ ଏକୁଟିଆ ହୋଇଯାଇଛନ୍ତି? ଏମିତି ଅନେକ ପ୍ରଶ୍ନ ବର୍ଷ ବର୍ଷ ଧରି ଫ୍ୟାନ୍ସଙ୍କ ମନରେ ଉଠୁଥିବା ବେଳେ ଏବେ ନିଜ ମନର କଥା ଖୋଲି କହିଛନ୍ତି ସଲମାନ। କରନ ଜୋହରଙ୍କ ଶୋ’ର ପ୍ରଥମ ଏପିସୋଡ୍ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଥିବା ବେଳେ ଏବେ ପ୍ରଶ୍ନ ଉଠୁଛି କ’ଣ ୬୦ ବର୍ଷ ବୟସରେ ଏବେ ସଲମାନ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି?
ତେବେ ସାକ୍ଷାତକାରରେ ଯେତେବେଳେ କରନ ଜୋହର ସଲମାନଙ୍କୁ ପଚାରିଥିଲେ, ସମସ୍ତେ ଯେତେବେଳେ ତାଙ୍କୁ ନିଜର ବୋଲି ଭାବନ୍ତି, ସେ କାହାକୁ ନିଜର ଭାବନ୍ତି? ଏହାର ଉତ୍ତରରେ ସଲମାନ କହିଥିଲେ, ‘ପରିବାର’। ଅନ୍ୟପଟେ କରନ ନିଜ ଏକାକୀପଣ ବିଷୟରେ କହିବାରୁ ସଲମାନ କହିଥିଲେ, ଯେତେବେଳେ କେହି ଆପଣଙ୍କ ସହ ରହିବାକୁ ଚାହାନ୍ତି ନାହିଁ, ସେତେବେଳେ ପ୍ରକୃତ ଏକାକୀପଣ ଅନୁଭବ ହୁଏ। ତଥାପି ନିଜ ଜୀବନରେ ସେ ଖୁସି ଥିବା ମଧ୍ୟ ସଲମାନ କହିଥିଲେ।
ଏହି ସମୟରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସଲମାନ ନିଜର ମନର କଥା ଖୋଲିକି କହିଥିବା ବେଳେ ତାଙ୍କ ବିବାହ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ, ନିଜର ପିଲା ନଥିବା ଅଭାବ ତାଙ୍କୁ ଅନୁଭବ ହୁଏକି, ତାହାର ଜବାବରେ ସଲମାନ କହିଥିଲେ, “ନିଶ୍ଚିତ ଭାବେ, ଜୀବନର କୌଣସି ଏକ ସମୟରେ ମୋର ବି ପିଲା ହେବେ। କରନ, ତୁମେ ଯେତେବେଳେ ପିଲାଙ୍କ ବାପା ହେଲ, ମୁଁ ତୁମ ପାଇଁ ଖୁସି ହୋଇଥିଲି। ହଁ, ମୋ ଜୀବନରେ ବି ପିଲା ଆସିବେ।” ବୋଲି କହିଥିଲେ ସଲମାନ । ତେବେ ଯଦିଓ ନିଜର ବିବାହ ନେଇ ଏଥିରେ ସେ କୌଣସି ସ୍ପଷ୍ଟ ଇଙ୍ଗିତ କରିନଥିଲେ, କିନ୍ତୁ ଭବିଷ୍ୟତରେ ସେ ବାପା ହେବାର ଇଚ୍ଛା ରଖିଥିବା ବୟାନ ପରେ ଫ୍ୟାନ୍ଙ୍କ ମନରେ ପ୍ରଶ୍ନ ଉଠିଛି, ଭାଇଜାନ୍ କେବେ ବିବାହ କରିବେ, ନା ଆଉ କିଛି ନୂଆ ଯୋଜନା ରହିଛି? ଏନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢିଛି ।
ତେବେ ଏପିସୋଡ୍ରେ ସଲମାନଙ୍କ ବନ୍ଧୁ ସଞ୍ଜୟ ଦତ୍ତ, ବବି ଦେଓଲ ଓ ବରୁଣ ଧାୱନଙ୍କ ବିଶେଷ ଭିଡିଓ ବାର୍ତ୍ତା ମଧ୍ୟ ଦେଖିବାକୁ ମିଳିଛି। ଆହୁରି ମଧ୍ୟ ସଞ୍ଜୟ ଦତ୍ତ ମଜାଳିଆ ଢଙ୍ଗରେ ସଲମାନଙ୍କୁ ଏବେ ‘ଛୋଟ ସଲମାନ’ ଆଣିବାକୁ କହିଥିଲେ। ଯାହା ଦର୍ଶକଙ୍କ ମନ ଛୁଇଁଛି ।

