Latest Odisha News

BREAKING NEWS

ପ୍ରେମର ସ୍ୱର୍ଣ୍ଣିମ ସ୍ମାରକୀ ‘ନିମୁହିଁ ଦେଉଳ’: ‘ଭାଲେଣ୍ଟାଇନ ଡ଼େ’ରେ ଜାଣନ୍ତୁ ଏହି ଅମର ପ୍ରେମ କାହାଣୀ…

ସୁବର୍ଣ୍ଣପୁର: ଆଜି ବିଶ୍ୱ ପ୍ରେମ ଦିବସ । ଏହି ଦିବସ ଅବସରରେ ମନେପଡେ ଏକ ପ୍ରେମ ପ୍ରଣୟର କାହାଣୀ । କେଉଁ କାଳରୁ ପ୍ରେମକୁ ବହନ କରିଛି ସୁବର୍ଣ୍ଣପୁରରେ ଥିବା ‘ନିମୁହିଁ’ ଦେଉଳ । ମନ୍ତ୍ରୀ ପୁତ୍ର ଅହିମାଣିକ୍ୟ ଓ ରାଜକୁମାରୀ ଶିଶିସେଣାଙ୍କ ଅମର ପ୍ରେମକୁ ନେଇ ରହିଛି ଏହି ସ୍ୱର୍ଣ୍ଣିମ ସ୍ମାରକୀ । ଏହା ବିଶ୍ୱବାସୀଙ୍କୁ ପ୍ରେମର ଅନନ୍ୟ ବାର୍ତ୍ତା ଦେଉଛି ।

ମନ୍ତ୍ରୀ ପୁତ୍ର ଅହିମାଣିକ୍ୟ ଓ ଅମରାବତୀର ରାଜା ବିକ୍ରମ କେଶରୀଙ୍କ କନ୍ୟା ରାଜକୁମାରୀ ଶଶୀସେଣାଙ୍କ ଭିତରେ ଥିଲା ଅନାବିଳ ପ୍ରେମ । ଅହିମାଣିକ୍ୟର ରୂପ ଯୌବନରେ ଆକର୍ଷକ ଥିଲା ଏବଂ ତାକୁ ଦେଖି ତନ୍ତ୍ର ସାଧିକା ଜ୍ଞାନଦେଇ ମାଲୁଣୀ ଆକୃଷ୍ଟ ହୋଇଥିଲା । ଅହିମାଣିକ୍ୟର ରୂପ ଯୌବନରେ ନିଜର କାମବାସନାକୁ ଚରିତାର୍ଥ କରିବା ପାଇଁ ତନ୍ତ୍ରର ପ୍ରୟୋଗରେ ଫୁଲ ଶୁଙ୍ଘାଇ ବଶ କରିନେଇଥିଲା ମନ୍ତ୍ରୀ ପୁତ୍ରକୁ । ତନ୍ତ୍ର ସାଧନା ବଳରେ ମାଲୁଣୀ ଅହିମାଣିକ୍ୟକୁ ଦିନରେ ମେଣ୍ଢା ଓ ରାତିରେ ଭେଣ୍ଢା କରି ଉପଭୋଗ କରୁଥିଲା । ହେଲେ ନିଖୋଜ ଅହିମାଣିକ୍ୟକୁ ଖୋଜି ଖୋଜି ନପାଇ ରାଜକୁମାରୀ ଶଶୀସେଣା ଶେଷରେ ମାଁ ଭଗବତୀଙ୍କୁ ପ୍ରାର୍ଥନା କରିଥିଲେ ।

ପରେ ତାନ୍ତ୍ରିକ ଜ୍ଞାନଦେଇ ମାଲୁଣୀର କବଳରୁ ଅହିମାଣିକ୍ୟକୁ ମୁକ୍ତ କରିଥିଲେ । ମାଁ ଭଗବତୀଙ୍କ କୃପାରୁ ମନ୍ତ୍ରୀପୁତ୍ର କୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ପ୍ରେମର ବିଜୟ ହୋଇଥିଲା । ସେଦିନ ରାଜଦଣ୍ଡ ଭୟରେ ଅମରାବତୀରୁ କାମାନ୍ତପୁର (ଏବେକାର ସୁବର୍ଣ୍ଣପୁର)କୁ ପଳାଇ ଆସିଥିବା ମନ୍ତ୍ରୀପୁତ୍ର ଓ ରାଜକୁମାରୀଙ୍କ ପ୍ରେମର ସ୍ମାରକି ଭାବରେ ତିଆରି ହୋଇଛି ‘ଶଶୀସେଣା ମନ୍ଦିର’ । ମନ୍ଦିରଗାତ୍ରରେ ପ୍ରେମର ସୃତିକୁ ବହନ କରିଥିବା ଏହି କାରୁକାର‌୍ୟ୍ୟପୂର୍ଣ୍ଣ ମନ୍ଦିରଟିର ପ୍ରବେଶ ଦ୍ୱାର ନଥିବାରୁ ଏହା ‘ନିମୁହିଁ’ ଦେଉଳ ଭାବରେ ବେଶ ପରିଚିତ । ଏମିତି ଏକ କିମ୍ବଦନ୍ତୀକୁ ବହନ କରିଛି ସୁବର୍ଣ୍ଣପୁରର ନିମୁହିଁ ଦେଉଳ । ଯାହାକି ଏବେବି ସୁବର୍ଣ୍ଣପୁର ସହରରେ ଦେଖିବାକୁ ମିଳେ । ବିଶ୍ୱକୁ ପ୍ରେମର ବାର୍ତ୍ତା ଦେଉଥିବା ଏହି କଳାତ୍ମକ ମନ୍ଦିର ଆଜି ବି ବିଦ୍ୟମାନ ସୁବର୍ଣ୍ଣପୁରରେ ।

ଆଜିପରି ଏକ ପ୍ରେମ ଦିବସରେ କୁମାର ଅହିମାଣିକ୍ୟ ଓ ରାଜକୁମାରୀ ଶଶୀସେଣାଙ୍କ ଅନାବିଳ ପ୍ରେମର ସୃତି ସବୁଦିନ ପାଇଁ ବଞ୍ଚି ରହୁ ଯୁବପିଢି ମଧ୍ୟରେ ।

Leave A Reply

Your email address will not be published.