ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍ ଟିମ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସିଧାସଳଖ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପରାମର୍ଶ ଦେଇଛନ୍ତି । ଗାଭାସ୍କର କହିଛନ୍ତି ଯେ ହାର୍ଦ୍ଦିକଙ୍କ ଭଳି କ୍ଷମତାସମ୍ପନ୍ନ ଖେଳାଳି ସହଜରେ ମିଳିବା ଅସମ୍ଭବ, ତେଣୁ ଦଳ ନିଜର ବୋଲିଂ ଆକ୍ରମଣକୁ ମଜବୁତ୍ କରିବା ପାଇଁ ଅନ୍ତତଃ ୪ ଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ମୈଦାନକୁ ଓହ୍ଲାଇବା ଉଚିତ୍ । ଆମେ ଅନେକ ସମୟରେ ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବାରେ ଅଧିକ ସମୟ ନଷ୍ଟ କରିଥାଉ । କିନ୍ତୁ ସତ କଥା ହେଉଛି, ହାର୍ଦ୍ଦିକଙ୍କ ସ୍ଥାନ କେହି ନେଇପାରିବେ ନାହିଁ । ଯଦି ତାଙ୍କ ଭଳି ଅଲରାଉଣ୍ଡର ନ ମିଳୁଛନ୍ତି, ତେବେ ଅନ୍ୟ ଭିନ୍ନ ଭୂମିକା ତୁଲାଇ ପାରୁଥିବା ଖେଳାଳିଙ୍କୁ ଦଳରେ ସୁଯୋଗ ଦେବା କଥା ।
ଗାଭାସ୍କର ଯୁବ ବ୍ୟାଟର ନମନ ଧୀରଙ୍କ ଉଦାହରଣ ଦେଇ କହିଥିଲେ ଯେ, ସେ ବ୍ୟାଟିଂ ସହ କିଛି ଓଭର ବୋଲିଂ ମଧ୍ୟ ଭଲ କରୁଛନ୍ତି । ବେଙ୍ଗାଲୁରୁରେ ହୋଇଥିବା ଶେଷ ମ୍ୟାଚ୍ରେ ନମନ ଧୀର ମାତ୍ର ୬ଟି ବଲ୍ରୁ ୨୪ ରନ୍ ସଂଗ୍ରହ କରି ନିଜର ବିସ୍ଫୋରକ ବ୍ୟାଟିଂର ଝଲକ ଦେଖାଇଥିଲେ । ଦଳରେ ବ୍ୟାଟିଂ ଗଭୀରତା ବଢ଼ାଇବା ପାଇଁ ୮ମ ନମ୍ବର ପର୍ୟ୍ୟନ୍ତ ବ୍ୟାଟର ଖେଳାଇବା ରଣନୀତିକୁ ଗାଭାସ୍କର ସମାଲୋଚନା କରିଛନ୍ତି । ଏହାଦ୍ୱାରା ଦଳର ମୁଖ୍ୟ ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯାଏ, ଯାହା ପରାଜୟର ମୁଖ୍ୟ କାରଣ ସାଜିଥାଏ । ଟି-୨୦ ଭଳି ଫର୍ମାଟ୍ରେ ସ୍ପିନରମାନଙ୍କର ଆତ୍ମବିଶ୍ୱାସ ଶୀଘ୍ର କମିଯାଏ । ତେଣୁ ମୁଖ୍ୟ ସ୍ପିନରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିୟମିତ ସୁଯୋଗ ଓ ସମର୍ଥନ ଦେବା ଆବଶ୍ୟକ ।

