ଝାରସୁଗୁଡ଼ା: ଆମ୍ୱଦରହ ଜଙ୍ଗଲରେ କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର। ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ ଗୁରୁତର। ସୂଚନା ଅନୁସାରେ ଝାରସୁଗୁଡ଼ାରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ଓରିଏଣ୍ଟ ଥାନା ଅନ୍ତର୍ଗତ ଆମ୍ୱଦରହ ଜଙ୍ଗଲରେ ପୋଲିସର ଏନକାଉଣ୍ଟର ହୋଇଛି। ପୋଲିସର ପାଲଟା ଗୁଳିଚାଳନାରେ ଗୁରୁତର ହୋଇଛି କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ। ୧୭ଟି ସଙ୍ଗୀନ ମାମଲାରେ ଫେରାର ଥିବା ଏହି ୱାରେଣ୍ଟି ଅପରାଧୀକୁ କାବୁ କରିଛି ପୋଲିସ।
ଅପରାଧୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତର ଘର ହନୁମାନ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ସମୟରେଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲରେ ହନୁମାନ ନଗର ଅଞ୍ଚଳର କୁଖ୍ୟାତ ଅପରାଧୀ ବଣ୍ଟି ପ୍ରସାଦ ଲୁଚି ରହିଥିବା ନେଇ ପୋଲିସକୁ ମିଳିଥିଲା ସୂଚନା। ଖବର ପାଇ ଓରିଏଣ୍ଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ ଆରମ୍ଭ କରିଥିଲା। ନିଜକୁ ଘେରି ହୋଇଥିବା ଦେଖି ଧରାପଡ଼ିବା ଭୟରେ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲା ବଣ୍ଟି। ପୋଲିସ କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯିବା ସହ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ।
ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଟଳି ପଡ଼ିଥିଲା। ତୁରନ୍ତ ତାକୁ କାବୁ କରି ଚିକିତ୍ସା ପାଇଁ ଖଳିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ। ଓରିଏଣ୍ଟ ଥାନା କେସ୍ରେ ବଣ୍ଟିକୁ ଧରିବାକୁ ଖୋଜୁଥିଲା ପୋଲିସ। ତା’ ନାଁରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ପାଖାପାଖି ୧୭ଟି ସଙ୍ଗୀନ ମାମଲା ରହିଛି।

