ମୁମ୍ବାଇ: ରବିବାର ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରକୁ ଗୁଳିମାଡ଼ ଘଟଣା ପରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅଭିନେତା ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି।
ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ବୁଲେଟପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବା ପୋଲିସ ଦେଖିବାକୁ ମିଳିଛି। ପୋଲିସ ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଅଭିନେତା ଟାଇଗର ଶ୍ରଫ ଜୁହୁର ଏକ ଫୁଟବଲ୍ କ୍ଲବରୁ ବାହାରକୁ ଯାଉଥିବା ବେଳେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ କାର ଉପରକୁ ଗୁଳିମାଡ଼ କରିଥିଲେ । ଏହି ଘଟଣାରୁ ଅଭିନେତା ଅଳ୍ପକେ ବର୍ତ୍ତି ଯାଇଥିଲେ କିନ୍ତୁ ତାଙ୍କ ଡ୍ରାଇଭରଙ୍କ ହାତରେ ଗୁଳି ବାଜିଥିଲା। ଯାହା ଫଳରେ ସେ ଆହତ ହୋଇଥିଲେ।
ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣାରେ ରାଜସ୍ଥାନ କୋଟାରୁ ୩ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ । କୋଟା ସିଟି ପୋଲିସ ଟିମ୍ ୩ ଅଭିଯୁକ୍ତଙ୍କୁ ଏକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଧରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ହରିୟାଣାର ବାସିନ୍ଦା ହୋଇଥିବା ବେଳେ ତୃତୀୟ ଜଣକ ବିହାରର ବୋଲି ଜଣାପଡ଼ିଛି ।
ଆକ୍ରମଣକାରୀମାନେ ଟାଇଗରଙ୍କ ଗତିବିଧି ଉପରେ ନଜର ରଖିଥିଲେ ଏବଂ ସେ ପ୍ରତି ରବିବାର ଫୁଟବଲ୍ ଗ୍ରାଉଣ୍ଡକୁ ଯାଉଥିଲେ ବୋଲି ଜାଣିଥିଲେ। ଏପଟେ ଟାଇଗର ଶ୍ରଫଙ୍କ ଉପରେ ହୋଇଥିବା ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଛି।

