Latest Odisha News

BREAKING NEWS

ବାୟୁ ପ୍ରଦୂଷଣର ପାଦ୍ରୁଭାବ, ଆଗାମୀ ୩ମାସ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର (ଅଭିନୟ ଆଦିତ୍ୟ ନାୟକ): ଶୀତ ଆସିବା ସହ ବଢ଼ିବ ବାୟୁ ପ୍ରଦୂଷଣର ଆଶଙ୍କା। ଆଗାମୀ ତିନି ମାସ ଧରି ବାୟୁର ମାନ ଖରାପ ହେବା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହି ସମୟରେ ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ ଅତିକ୍ରମ କରିବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ ମାସ୍କ ପିନ୍ଧିବା ସହ ପ୍ରଦୂଷିତ ପରିବେଶରୁ ଯଥାସମ୍ଭବ ଦୂରେଇ ରହିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱରର ୬ଟି ସ୍ଥାନ ସମେତ ରାଜ୍ୟର ୨୨ଟି ସହରରେ ବାୟୁ ପ୍ରଦୂଷଣର ନିୟମିତ ମନିଟରିଂ କରାଯାଉଛି। ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକଙ୍କ କହିବା ଅନୁଯାୟୀ, ଶୀତଦିନେ ପ୍ରଦୂଷଣ ବଢ଼ିବାର ଆଶଙ୍କା ରହୁଥିବାରୁ ଲୋକେ ସତର୍କ ରହିବା ଆବଶ୍ୟକ। ବିଶେଷକରି ଶ୍ୱାସରୋଗୀ ଓ ଅନ୍ୟାନ୍ୟ ଶ୍ୱାସକ୍ରିୟାଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ପ୍ରଦୂଷିତ ଅଞ୍ଚଳରେ ଅଧିକ ସମୟ ରହିବାରୁ ନିବୃତ୍ତ ରହିବା ଉଚିତ।

କାହିଁକି ଶୀତଦିନେ ବଢ଼େ ପ୍ରଦୂଷଣ?

ଶୀତଦିନେ ବାୟୁ ପ୍ରଦୂଷଣ ବଢ଼ିବା ପଛରେ କେବଳ ଧୂଳି ଓ ଧୂଆଁ ଦାୟୀ ନୁହନ୍ତି। ଏହି ସମୟରେ ପାଣିପାଗରେ ହେଉଥିବା ପରିବର୍ତ୍ତନ ମଧ୍ୟ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ। ତାପମାତ୍ରା କମିବା ସହ ପବନର ବେଗ ହ୍ରାସ ପାଏ। ଫଳରେ ଯାନବାହନରୁ ନିର୍ଗତ ଧୂଆଁ, ନିର୍ମାଣ କାର୍ଯ୍ୟରୁ ସୃଷ୍ଟି ହେଉଥିବା ଧୂଳି ଓ ଅନ୍ୟାନ୍ୟ ପ୍ରଦୂଷକ କଣିକା ସହଜରେ ବାୟୁମଣ୍ଡଳରେ ବିସ୍ତାର ହୋଇପାରେ ନାହିଁ। ଶୀତଦିନେ ବାୟୁମଣ୍ଡଳର ନିମ୍ନ ସ୍ତରରେ ପ୍ରଦୂଷକ କଣିକା ଅଟକି ରହିବାର ସମ୍ଭାବନା ଅଧିକ ଥାଏ। ଏହାକୁ ତାପମାତ୍ରା ଓଲଟା ସ୍ଥିତି ବା ‘ଟେମ୍ପରେଚର ଇନଭର୍ସନ’ କୁହାଯାଏ। ଏହି ପରିସ୍ଥିତିରେ ଉପର ସ୍ତରର ଉଷ୍ମ ବାୟୁ ତଳର ଥଣ୍ଡା ବାୟୁକୁ ଉପରକୁ ଉଠିବାରେ ବାଧା ଦିଏ। ଫଳରେ ଧୂଳି ଓ ଧୂଆଁ ଭଳି ପ୍ରଦୂଷକ ଦୀର୍ଘ ସମୟ ଧରି ତଳ ସ୍ତରରେ ରହିଥାଏ। କୁହୁଡ଼ି ଓ ଆର୍ଦ୍ରତା ମଧ୍ୟ କେତେକ ପରିସ୍ଥିତିରେ ପ୍ରଦୂଷଣ ସମସ୍ୟାକୁ ଅଧିକ ଜଟିଳ କରିଥାଏ। ଏହା ସହ ସହରରେ ଅଧିକ ଯାନବାହନ ଚଳାଚଳ, ରାସ୍ତା ଖୋଳାଖୋଳି, ନିର୍ମାଣ କାର୍ଯ୍ୟ, ଖୋଲା ସ୍ଥାନରେ ଆବର୍ଜନା ଜଳାଇବା ଏବଂ ଶିଳ୍ପାଞ୍ଚଳରୁ ନିର୍ଗତ ଧୂଆଁ ବାୟୁର ଗୁଣବତ୍ତାକୁ ପ୍ରଭାବିତ କରେ। ଶୀତଦିନେ ପବନର ବେଗ କମ୍ ରହୁଥିବାରୁ ଏହି ପ୍ରଦୂଷକଗୁଡ଼ିକର ପ୍ରଭାବ ଅଧିକ ସମୟ ଧରି ରହିପାରେ।

ଅନ୍ୟ ମାସରେ ସନ୍ତୋଷଜନକ ରହୁଛି ବାୟୁର ମାନ

ଭୁବନେଶ୍ୱରର ବାୟୁ ଗୁଣବତ୍ତା ସମ୍ପର୍କିତ ଉପଲବ୍ଧ ତଥ୍ୟ ଅନୁଯାୟୀ, ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ସହରର ଏକ୍ୟୁଆଇ ସାଧାରଣତଃ ‘ଗୁଡ୍‌’ଓ ‘ସାଟିସଫ୍ୟାକ୍ଟରି’ ବର୍ଗରେ ରହୁଛି। ଏହି ସମୟରେ ଏକ୍ୟୁଆଇ ଅଧିକାଂଶ କ୍ଷେତ୍ରରେ ୦ରୁ ୧୦୦ ମଧ୍ୟରେ ରହିଥାଏ। ତେବେ ଏହା ପ୍ରତ୍ୟେକ ଦିନ ସମାନ ରହେ ନାହିଁ ଏବଂ ପାଣିପାଗ ଓ ସ୍ଥାନୀୟ ପ୍ରଦୂଷଣ ଅନୁସାରେ ପରିବର୍ତ୍ତନ ହୋଇପାରେ। ବାୟୁ ଗୁଣବତ୍ତା ସୂଚକାଙ୍କ ୦ରୁ ୫୦ ମଧ୍ୟରେ ରହିଲେ ଏହାକୁ ‘ଗୁଡ୍‌’ବା ଭଲ ବାୟୁ ମାନ କୁହାଯାଏ। ୫୧ରୁ ୧୦୦ ମଧ୍ୟରେ ରହିଲେ ଏହା ‘ସାଟିସଫ୍ୟାକ୍ଟରି’ ବା ସନ୍ତୋଷଜନକ ବର୍ଗରେ ଆସେ। ଏହାପରେ ୧୦୧ରୁ ୨୦୦ ମଧ୍ୟମ, ୨୦୧ରୁ ୩୦୦ ଖରାପ ଏବଂ ୩୦୧ରୁ ୪୦୦ ଅତି ଖରାପ ବର୍ଗରେ ଗଣାଯାଏ। ତେଣୁ ଶୀତଦିନେ ଏକ୍ୟୁଆଇ ବୃଦ୍ଧି ଉପରେ ନଜର ରଖିବା ଜରୁରୀ।

 

ଡିଜେଲ୍‌ ଗାଡ଼ି କମାଇବାକୁ ପରାମର୍ଶ

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଡିଜେଲ୍‌ ଗାଡ଼ିର ବ୍ୟବହାର ଯଥାସମ୍ଭବ କମାଇବାକୁ ନିରଞ୍ଜନ ମଲ୍ଲିକ ପରାମର୍ଶ ଦେଇଛନ୍ତି। ସହର ଭିତରକୁ ଭାରୀ ଯାନବାହନର ପ୍ରବେଶ ନିୟନ୍ତ୍ରଣ କରିବା ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିସହ ରାସ୍ତାର ଧୂଳି ନିୟନ୍ତ୍ରଣ, ନିର୍ମାଣସ୍ଥଳରେ ଧୂଳି ଉଡ଼ିବା ରୋକିବା, ଖୋଲାରେ ଆବର୍ଜନା ନ ଜଳାଇବା ଏବଂ ସାଧାରଣ ପରିବହନର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଅନ୍ୟପକ୍ଷରେ.. ପ୍ରଦୂଷଣ ଅଧିକ ଥିବା ଦିନରେ ଲୋକେ ବାହାରେ ଦୀର୍ଘ ସମୟ ରହିବାରୁ ଦୂରେଇ ରହିବା ସହ ଆବଶ୍ୟକ ସ୍ଥଳେ ଉପଯୁକ୍ତ ମାସ୍କ ବ୍ୟବହାର କରିବା ଉଚିତ। ଶିଶୁ, ବୟସ୍କ ଏବଂ ଶ୍ୱାସରୋଗୀମାନେ ବିଶେଷ ସତର୍କ ରହିବା ଆବଶ୍ୟକ। ବାୟୁର ମାନ ସମ୍ପର୍କିତ ଦୈନିକ ସୂଚନା ଉପରେ ନଜର ରଖିବା ସହ ପ୍ରଦୂଷଣ ରୋକିବାରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

Leave A Reply

Your email address will not be published.