ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନି ଆଇପିଏଲ୍ରେ ନିଜ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଡିସେମ୍ବର ପୂର୍ବରୁ ସେ ନିଷ୍ପତ୍ତି ନେବେ ଯେ ଆଉ ଗୋଟିଏ ଆଇପିଏଲ୍ ସିଜନ୍ ଖେଳିବେ କି ନାହିଁ । ଶନିବାର ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଧୋନିଙ୍କୁ ତାଙ୍କ ଆଇପିଏଲ୍ ଭବିଷ୍ୟତ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ, ମେଡିକାଲ୍ ଟେଷ୍ଟ୍ ପରେ ହିଁ ଜଣାପଡ଼ିବ ଯେ ମୁଁ ଆଉ ଗୋଟିଏ ସିଜନ୍ ଖେଳିବା ପାଇଁ ସକ୍ଷମ କି ନୁହେଁ । ୪୫ ବର୍ଷୀୟ ଧୋନି ଗତ ସିଜନ୍ରେ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଆଇପିଏଲ୍ରୁ ବାଦ୍ ପଡ଼ିଥିଲେ । ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ସୁପର କିଙ୍ଗସ୍ ଦଳ ଆଇପିଏଲ୍ର ପ୍ଲେ-ଅଫ୍ରେ ସ୍ଥାନ ପାଇପାରିନଥିଲା ।
ସିଏସ୍କେର ଏହି ପୂର୍ବତନ ଅଧିନାୟକ ନିଜ ଫିଟ୍ନେସର ସମ୍ପୂର୍ଣ୍ଣ ଦାୟିତ୍ୱ ଡାକ୍ତରମାନଙ୍କ ଉପରେ ଛାଡ଼ିଛନ୍ତି । ସେ କହିଛନ୍ତି ଯେ ଡାକ୍ତରମାନଙ୍କୁ ହିଁ ନିଶ୍ଚିତ କରିବାକୁ ହେବ ଯେ ସେ ଆଉ ଗୋଟିଏ ବର୍ଷ ଆଇପିଏଲ୍ର ଆହ୍ୱାନ ସହିବାକୁ ପ୍ରସ୍ତୁତ ଅଛନ୍ତି କି ନାହିଁ । ମଜାଳିଆ ଅନ୍ଦାଜରେ ଧୋନି କହିଥିଲେ, ଯଦି ମୁଁ ଫିଟ୍ ନୁହେଁ, ତେବେ ମୋ ସହିତ ସବୁକିଛି ଠିକ୍ କରିବା ଏବଂ ଏହି ପୁରୁଣା ଭିଣ୍ଟେଜ୍ ଗାଡ଼ି ରାସ୍ତାରେ ଯେପରି ସଠିକ୍ ଭାବେ ଚାଲିବ, ତାହା ନିଶ୍ଚିତ କରିବା ଦାୟିତ୍ୱ ଆପଣଙ୍କର । ତେଣୁ ସବୁ ଚାପ ଏବେ ଡାକ୍ତରଙ୍କ ଉପରେ ରହିଛି । ଏମ୍.ଏସ୍. ଧୋନି ଆଇପିଏଲ୍ର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରେ ଗଣାଯାଆନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ୍କୁ ୫ଟି ଆଇପିଏଲ୍ ଟ୍ରଫି ଜିତାଛନ୍ତି । ତାଙ୍କ କ୍ୟାପ୍ଟେନ୍ସିରେ ହିଁ ଦଳ ଶେଷଥର ପାଇଁ ଚାମ୍ପିୟନ୍ ହୋଇଥିଲା ।

