Latest Odisha News

BREAKING NEWS

୨୦୨୭ ସୁଦ୍ଧା ଭୁବନେଶ୍ୱରରେ ହେବ ୩୨,୦୦୦ ପିଏନଜି ଗ୍ୟାସ ସଂଯୋଗ: ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର ପାହାଳ ନିକଟରେ ଅବସ୍ଥିତ ୨,୦୦୦ ଫ୍ଲାଟ୍‌ ଥିବା ଆବାସିକ ପରିସରରେ ଆଜି ସଂଯୋଗ ହୋଇଛି ପ୍ରଥମ ଘରୋଇ ପ୍ରାକୃତିକ ରନ୍ଧନ ଗ୍ୟାସ୍ ପାଇପ୍ ଲାଇନ୍। ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମଟେଡ (GAIL) ଦ୍ୱାରା ଏହି ସୁଲଭ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହି ଏହାର ଆରମ୍ଭ କରିଥିଲେ।

ବର୍ତ୍ତମାନ ଏହି ସୁନ୍ଦର ଆଧୁନିକ ଆପାର୍ଟମେଣ୍ଟର ଆଭେନ୍ୟୁ – ୦୧ ରେ ପାଖାପାଖି ୧୧୦୦ ଘର ସଂପୂର୍ଣ୍ଣ ହୋଇ ସାରିଥିବା ବେଳେ ୬୦୦ରୁ ଉର୍ଦ୍ଧ୍ବ ଘର ହସ୍ତାନ୍ତର ସରିଛି। ତେବେ ଆଗାମୀ ୩ ରୁ ୪ ମାସ ମଧ୍ୟରେ ସମସ୍ତ ଘରେ ପ୍ରାକୃତିକ ରନ୍ଧନ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗ ହୋଇଯିବ ବୋଲି GAIL ତରଫରୁ ସୂଚନା ଦିଆଯାଇଛି।

ଏହି ଅବସରରେ ସେ କହିଛନ୍ତି ଯେ ୨୦୨୭ ମସିହା ମାର୍ଚ୍ଚ ମାସ ସୁଦ୍ଧା ଭୁବନେଶ୍ୱରରେ ୩୨,୦୦୦ରୁ ଅଧିକ ଘରୋଇ ପିଏନ୍‌ଜି ସଂଯୋଗ ଯୋଗାଇ ଦେବା ପାଇଁ ଯୋଜନା ଚାଲିଛି। ଏହା ସହିତ ସଂଯୋଗ ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି।

ବିଶାଳ ଟାୱାର୍‌ଗୁଡ଼ିକର ବାସିନ୍ଦାମାନଙ୍କୁ ଭେଟିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସ୍ୱେରେଜ୍ ବ୍ୟବସ୍ଥା, ସର୍ଭିସ୍ ରୋଡ୍ ନିର୍ମାଣ, ଆଲୋକୀକରଣ ଏବଂ ପାଦଚଲା ଓଭରବ୍ରିଜ୍ ନିର୍ମାଣର ଆବଶ୍ୟକତା ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଅଞ୍ଚଳ ବାସିନ୍ଦା। ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ସାଂସଦଙ୍କ ସମସ୍ତ ସହଯୋଗ ରହିବ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଅପରାଜିତା। ଏହା ସହିତ, ରୋଷେଇ କାର୍ଯ୍ୟରେ ଏଲ୍‌ପିଜି (LPG) ଗ୍ୟାସ୍ ସିଲିଣ୍ଡର୍ ବଦଳରେ ଘରୋଇ ପାଇପ୍‌ଯୋଗେ ପ୍ରାକୃତିକ ଗ୍ୟାସ୍ (Domestic Piped Natural Gas – DPNG) ବ୍ୟବହାର କରିବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ବାସିନ୍ଦାମାନଙ୍କୁ ଅବଗତ କରାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।DPNG ଗ୍ୟାସ୍ ବ୍ୟବହାର ଗ୍ୟାସ୍ ସିଲିଣ୍ଡର ବା LPG ତୁଳନାରେ ଅଧିକ ସୁରକ୍ଷିତ ଓ ଅର୍ଥନୈତିକ ଦୃଷ୍ଟିରୁ ମଧ୍ଯ ସୁଲଭ ହୋଇଥିବାରୁ ଏହାର ବ୍ୟାପକ ବ୍ୟବହାର ଉପରେ ଗୁରୁ୍ତ୍ୱାରୋପ କରିଥିଲେ।

ଏହି ଅବସରରେ GAILର ମହାପ୍ରବନ୍ଧକ କୌଶିକ ବସୁ ,ବରିଷ୍ଠ ପ୍ରବନ୍ଧକ ଏସ.ଆର. ମହାନ୍ତି, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ସାଂସଦ ପ୍ରତିନିଧି ପ୍ରଣୟ କରଣ, ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଭୁବନେଶ୍ୱର ସାଂସଦ, ବିକାଶ ଓ ଜନସେବା କୁ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ବେଳେ ଲୋକମାନଙ୍କ ସହିତ ସମୟ ବିତାଇ ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

 

Leave A Reply

Your email address will not be published.