ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢିଚାଲିଛି ଉତ୍ତେଜନା । ୮ମାସ ଧରି ଚାଲିଥିବା ଯୁଦ୍ଧରେ ୧୪ଜଣ ନାବିକଙ୍କ ସମେତ ମୋଟ୍ ୨୨ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନୂଆଦିଲ୍ଲୀରେ ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସୱାଲ । ଉପସାଗରୀୟ ଅଂଚଳରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଓ କଲ୍ୟାଣ ପାଇଁ ଭାରତ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି । ସେପଟେ ସାଉଦି ଆରବରେ ୩ଜଣ ଭାରତୀୟ ଜୀବନ ହରାଇଥିବା କଥା ମଧ୍ୟ କହିଛନ୍ତି ଜୟସୱାଲ । ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ଫେବ୍ରୁଆରୀରେ ପଶ୍ଚିମ ଏସିଆରେ ସଂଘଷ ର୍ ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀ କ୍ରମାଗତ ଭାବରେ ଆଲୋଚନା ଏବଂ କୂଟନୈତିକ ଉପାୟରେ ସଂଘର୍ଷର ସମାଧାନ ଖୋଜିବା ପାଇଁ ଆହ୍ୱାନ ଦେଇଆସୁଛି ।
ପଶ୍ଚିମ ଏସିଆରେ ଏବେ ହଠାତ୍ ଉତ୍ତେଜନା ବୃଦ୍ଧି ପାଇଛି । ବିଶେଷକରି ହୁଥି ବିରୋଧୀ ସାଉଦିଆରବ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି । ସାଉଦିର ନାଗରିକ ଭିତ୍ତିଭୂମି ଉପରେ ହୁଥିଙ୍କ ଆକ୍ରମଣ ନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଏଭଳି ଆକ୍ରମଣ ଆଂଚଳିକ ସ୍ଥିରତା ଦୁର୍ବଳ କରିବା ସହ ବାବ୍-ଏଲ୍ ମାନ୍ଦେବ୍ ବା ଜଳପଥରେ ଯାତାୟତ ସ୍ୱାଧିନତାରେ ବିପଦ ସୃଷ୍ଟି କରେ । ଇରାନ ସମର୍ଥିତ ହୁଥି ବିଦ୍ରୋହୀ ଗୋଷ୍ଠୀ ସାଉଦି ଆରବର ଇଷ୍ଟ-ୱେଷ୍ଟ ତୈଳ ପାଇପଲାଇନ ଉପରେ ଆକ୍ରମଣ କରିଥିଲେ । ଯାହା ଅଶୋଧିତ ତୈଳ ଯୋଗାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଇରାନ ସହ ଜଡିତ ସଂଘର୍ଷ ଯୋଗୁ ହରମୁଜ ପ୍ରଣାଳୀରେ ହେଉଥିବା ଜାହଜ ଚଳାଚଳ ବାଧାପ୍ରାପ୍ତ ହେବା ପରଠୁ ପୂର୍ବ- ପଶ୍ଚିମ ପାଇପଲାଇନ ସାଉଦି ଆରବର ତୈଳ ରପ୍ତାନି ପାଇଁ ବିକଳ୍ପ ମାର୍ଗ ଭାବେ କାମ କରୁଆସିଛି । ହୁଥି ବିଦ୍ରୋହୀଙ୍କ ଆକ୍ରମଣରୁ ଜଳପଥର ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି । ବାବ୍-ଏଲ୍ ମାନ୍ଦେବ୍ ହେଉଛି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସଂକୀର୍ଣ୍ଣ ମାର୍ଗ ଯାହା ଆଫ୍ରିକାର ଶୃଙ୍ଗ ଓ ଆରବୀୟ ଉପଦୀପ ମଧ୍ୟରେ ରହିଛି ।

