Latest Odisha News

BREAKING NEWS

୨୦ ମାସର ଆଇନଗତ ଲଢ଼େଇ ପରେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ନାତି ଫେରିପାଇଲେ ୩୦ ଏକର ଜମି

ୱାଶିଂଟନ : ଆମେରିକାର ଭର୍ଜିନିଆରେ ମହାତ୍ମା ଗାନ୍ଧୀଙ୍କ ନାତି କାନୁ ଗାନ୍ଧୀଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ୨୦ ମାସର ଆଇନଗତ ଲଢ଼େଇ ଶେଷ ହୋଇଛି। ଆମେରିକାର ଏକ କୋର୍ଟ ଗାନ୍ଧୀ ପରିବାର ଏବଂ ସେମାନଙ୍କ ଚାରିଟେବୁଲ ଟ୍ରଷ୍ଟ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ୩୦ ଏକର ଜମିର ମାଲିକାନା ଫେରାଇ ଦେଇଛନ୍ତି ।

ସୂଚନା ଅନୁସାରେ, ନାସାର ପୂର୍ବତନ ବୈଜ୍ଞାନିକ ତଥା ମହାତ୍ମା ଗାନ୍ଧୀଙ୍କ ନାତି କାନୁ ଗାନ୍ଧୀ ଏବଂ ତାଙ୍କ ପତ୍ନୀ ଶିବା ଗାନ୍ଧୀ ୨୦୧୩ ମସିହାରେ ଆମେରିକାରୁ ଭାରତ ଫେରିଥିଲେ ଏବଂ ୨୦୧୬ରେ କାନୁ ଗାନ୍ଧୀଙ୍କର ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ୨୦୧୮ରେ ଶିବା ଗାନ୍ଧୀ ‘ଡକ୍ଟର ଶିବା ଏବଂ କାନୁ ରାମଦାସ ମୋହନଦାସ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ’ ଗଠନ କରି ସମସ୍ତ ସମ୍ପତ୍ତି ଟ୍ରଷ୍ଟ ନାମରେ ହସ୍ତାନ୍ତର କରିଥିଲେ।

ତେବେ ଜଣେ ଆମେରିକୀୟ ନାଗରିକ ଏହି ୩୦ ଏକର ଜମି ଉପରେ ବେଆଇନ କବଜା କରିବା ସହ ନିଜର ମାଲିକାନା ଦାବି କରିଥିଲେ। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଆଇନଗତ ପଦକ୍ଷେପ ନେଇ ଜିଆଇଏସ୍ ମ୍ୟାପ୍ ଓ ଆବଶ୍ୟକୀୟ ଦସ୍ତାବିଜ୍ କୋର୍ଟରେ ଦାଖଲ କରିଥିଲେ। ଅଦାଲତ ଅଭିଯୁକ୍ତଙ୍କ ଦାବିକୁ ଖାରଜ କରିବା ସହ ୩୦ ଦିନ ମଧ୍ୟରେ ଜମିରୁ ନିଜର ଜିନିଷପତ୍ର ଓ କ୍ୟାବିନ୍ ହଟାଇ ସମ୍ପୂର୍ଣ୍ଣ ଜମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଆମେରିକାର ଭର୍ଜିନିଆରେ ମହାତ୍ମା ଗାନ୍ଧୀଙ୍କ ନାତି କାନୁ ଗାନ୍ଧୀଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ୨୦ ମାସର ଆଇନଗତ ଲଢ଼େଇରେ ଟ୍ରଷ୍ଟ ବିଜୟୀ ହୋଇଛି।

କିପରି ଜିତିଲେ କେସ ?

ରିପୋର୍ଟ ଅନୁସାରେ ପରିମଲ ଦେଶାଇ କହିଛନ୍ତି, “ଏହାର ଆରମ୍ଭ ସେତେବେଳେ ହୋଇଥିଲା ଯେତେବେଳେ ଆମେରିକୀୟ ନାଗରିକ ଗ୍ରେଗୋରୀ ବ୍ଲାକ୍ ୧୦ ଜାନୁଆରୀ ୨୦୨୫ରେ ମୋ ଘରକୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ।”

ଦେଶାଇ ଆଗକୁ କହିଛନ୍ତି, “ଆମେ ଜିଆଇଏସ୍ ମ୍ୟାପ୍ ଜରିଆରେ ଏହା ପ୍ରମାଣିତ କରିପାରିଲୁ ଯେ ସେହି କ୍ୟାବିନ୍‌ଟି ସେଠାରେ ୧୫ ବର୍ଷ ଧରି ନଥିଲା। ୨୦୨୦ ପରଠାରୁ ମୁଁ ନିଜେ ମଧ୍ୟ ଅନେକ ଥର ସେଠାକୁ ଯାଇଥିଲି, ଯାହାଫଳରେ ସେ ପ୍ରକୃତରେ ସେଠାରେ ରହୁଥିବା ବା ଜମି କବଜା କରିଥିବା ନେଇ ଦାବି କରିଥିବା କଥା ଭୁଲ୍ ପ୍ରମାଣିତ ହୋଇଗଲା।”

Leave A Reply

Your email address will not be published.