ବ୍ରହ୍ମପୁର: ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ଭୟାବହ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରସିଦ୍ଧ କୃଷ୍ଣସାର ମୃଗ (Blackbuck) ବନ୍ୟାଜଳରେ ଭାସିଯାଉଥିବା ନେଇ କିଛି ହୃଦୟବିଦାରକ ଖବର ପ୍ରଚାରିତ ହେଉଛି। ତେବେ, ବାସ୍ତବରେ ବନ୍ୟାଜଳର ପ୍ରବଳ ସ୍ରୋତରେ କିଛି କୃଷ୍ଣସାର ମୃଗ ଭାସିଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ଭାବେ ନଦୀ ପାର ହୋଇ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଛନ୍ତି। ସମ୍ପୃକ୍ତ ବନଖଣ୍ଡ ଅଧିକାରୀମାନଙ୍କ (DFOs)ଙ୍କ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ କୌଣସି କୃଷ୍ଣସାର ମୃଗଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି।
ସୂଚନା ଥାଉକି ଏହି ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଉପରେ ବନ୍ୟାର ପ୍ରଭାବକୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଏହି ଖବରକୁ ନେଇ ସ୍ପଷ୍ଟୀକରଣ ଆସିଛି। ଏହି ଘଟଣା ଯୋଗୁଁ କୌଣସି କୃଷ୍ଣସାର ମୃଗ (blackbuck) ପ୍ରାଣ ହରାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇନାହାନ୍ତି। ବନ୍ୟା ପାଣି ମାଡ଼ିଆସିବାରୁ ଚାଷଜମି ଓ ଘାସପଡ଼ିଆ ବୁଡ଼ିଯାଇଛି, ଯାହାଫଳରେ ମୃଗମାନେ ପ୍ରଖର ସ୍ରୋତ ସହ ସଂଘର୍ଷ କରି ବଞ୍ଚିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା।
ପୂର୍ବରୁ ଖବର ମିଳିଥିଲା ଯେ, ଗଞ୍ଜାମ ଜିଲ୍ଲାରେ ବନ୍ୟା ଯୋଗୁଁ ବିରଳ କୃଷ୍ଣସାର ମୃଗଗୁଡ଼ିକ ବିପଦରେ ପଡ଼ିଛନ୍ତି। ବିଶେଷକରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଏବଂ କୈଞ୍ଚାପୁର ଅଞ୍ଚଳରେ ଏହି ବିଲୁପ୍ତପ୍ରାୟ ପ୍ରାଣୀଙ୍କର ଏକ ଜଣାଶୁଣା ଆବାସସ୍ଥଳୀ, ସେଠାରେ କିଛି କୃଷ୍ଣସାର ମୃଗ ପ୍ରବଳ ସ୍ରୋତରେ ଭାସି ଯାଇଥିବା କୁହାଯାଇଥିଲା। ଓଡ଼ିଶା ବନ ବିଭାଗ ଓ ସରକାରୀ ସୂତ୍ରର ରିପୋର୍ଟ ଅନୁସାରେ, ବନ୍ୟା ପାଣିରେ କିଛି କୃଷ୍ଣସାର ମୃଗ ଭାସିଯାଇଥିଲେ ମଧ୍ୟ ସେମାନେ ସଫଳତାର ସହ ନଦୀ ପାର ହୋଇ ନିକଟସ୍ଥ ସୁରକ୍ଷିତ ଜଙ୍ଗଲ ଅଞ୍ଚଳକୁ ଚାଲିଯାଇଛନ୍ତି।

