କଟକ:ଓଡ଼ିଶାର ଯୁବକଯୁବତୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ରୋଜଗାରର ବାଟ ଫିଟାଇବାରେ ରାଜ୍ୟର ଅତ୍ୟାଧୁନିକ ପ୍ରଶିକ୍ଷଣ ଭିତ୍ତିଭୂମି ସବୁଠାରୁ ବଡ଼ ମାଧ୍ୟମ ସାଜିଛି। ଏହି କ୍ରମରେ ଓଡ଼ିଶାର ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (IDTR)ର ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ତାଲିମର ଉଚ୍ଚ ମାନକୁ ଜାପାନର ପ୍ରତିନିଧି ଦଳ ଏବଂ ସହଯୋଗୀ ସଂସ୍ଥା ‘ନାଭିସ୍ ଏଚ୍ଆର୍’ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡ଼ିଶାର ଚାଳକମାନଙ୍କର ଦକ୍ଷତା ଯୋଗୁଁ ସେମାନଙ୍କୁ ଜାପାନରେ ଆକର୍ଷଣୀୟ ଦରମା, ଉଚ୍ଚ ସୁବିଧା ସୁଯୋଗ ଓ ସ୍ଥାୟୀ ଜୀବିକାର ସୁବର୍ଣ୍ଣ ସୁଯୋଗ ମିଳୁଛି।
ଏହି ସଫଳତା ଭିତରେ, ଏହି ପ୍ରତିଷ୍ଠାନରୁ ପ୍ରଶିକ୍ଷଣ ନେଇଥିବା ୧୨ ଜଣ ପ୍ରାର୍ଥୀ ବର୍ତ୍ତମାନ ସଫଳତାର ସହ ଜାପାନରେ ଉଚ୍ଚ ସୁବିଧା ସୁଯୋଗରେ ଚାକିରି କରୁଛନ୍ତି। ଏହା ସହିତ ଆଉ ୩୩ ଜଣ ଦକ୍ଷ ପ୍ରାର୍ଥୀ ବର୍ତ୍ତମାନ ବାଙ୍ଗାଲୋରଠାରେ ନାଭିସ୍ ଏଚ୍ଆର୍ ମାଧ୍ୟମରେ ଜାପାନୀ ଭାଷା ଏବଂ ଓରିଏଣ୍ଟେସନ୍ ପ୍ରଶିକ୍ଷଣ ନେଉଛନ୍ତି, ଯେଉଁମାନେ କି ଖୁବ୍ଶୀଘ୍ର ଜାପାନ ଯାତ୍ରା କରି ନିଜର ବୃତ୍ତିଗତ କ୍ୟାରିୟର ଆରମ୍ଭ କରିବେ। ଜାପାନୀ ପ୍ରତିନିଧିଙ୍କ ମତରେ, ଓଡ଼ିଶାର ଡ୍ରାଇଭରମାନେ ବୃତ୍ତିଗତ ଭାବେ ଅତ୍ୟନ୍ତ ଶୃଙ୍ଖଳିତ ଏବଂ ସେମାନଙ୍କ ଚାହିଦା ବିଦେଶ ମାଟିରେ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଏହି ଦକ୍ଷତା ଏବଂ ସୁଯୋଗକୁ ଆହୁରି ଆଗକୁ ନେବା ପାଇଁ ଛତିଆସ୍ଥିତ IDTR ପକ୍ଷରୁ ‘ନାଭିସ୍ ଏଚ୍ଆର୍’ ସହଯୋଗରେ ଏକ ‘ଡ୍ରାଇଭର କ୍ୟାରିୟର ସୁଯୋଗ କାର୍ଯ୍ୟକ୍ରମ’ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ର ମାଧ୍ୟମରେ ଆଶାୟୀ ଚାଳକମାନେ ଜାପାନୀ ପରିବହନ ଅପରେଟରମାନଙ୍କ ସହ ସିଧାସଳଖ ଆଲୋଚନା କରି ବିଦେଶର କାର୍ଯ୍ୟ ପରିବେଶ, ଭାଷା ଶିକ୍ଷା ଏବଂ ସେଠାକାର ଉନ୍ନତ ଜୀବନଶୈଳୀ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ। କେବଳ ଜାପାନ ନୁହେଁ, ଓଡ଼ିଶାର ପିଲାମାନେ ଯେମିତି ଦେଶ ଓ ରାଜ୍ୟ ଭିତରେ ମଧ୍ୟ ବଡ଼ ବଡ଼ ସଂସ୍ଥାରେ ଉଚ୍ଚ ରୋଜଗାରକ୍ଷମ ହୋଇପାରିବେ, ସେଥିପାଇଁ ରାଜ୍ୟର ଚାରିଟିଯାକ IDTR ଭିତ୍ତିଭୂମିକୁ ବ୍ୟବହାର କରି ନିରନ୍ତର ନିଯୁକ୍ତି ମେଳା ମଧ୍ୟ ଆୟୋଜିତ କରାଯାଉଛି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପିଲାମାନଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କ ରୋଜଗାରକୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଏହିପରି ନିରନ୍ତର ପ୍ରୟାସ ଜାରି ରହିଛି ।

