Latest Odisha News

BREAKING NEWS

‘ଭୋଟ ଚୋରି’ ଆଲୋଚନା ପାଇଁ ପ୍ରସ୍ତୁତ ଅମିତ ଶାହ: ରାହୁଲ, ଅଖିଲେଶଙ୍କୁ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବିରୋଧୀ ଦଳ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ‘ସାର୍ବଜନୀନ ମହାଭିଯୋଗ’ ପ୍ରସ୍ତାବ ଆଣିବାକୁ ଯୋଜନା ଚାଲିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି । ଲକ୍ଷ୍ନୌଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ନିର୍ବାଚନରେ ପରାଜୟ ପରେ ବିରୋଧୀ ନିର୍ବାଚନ ଆୟୋଗ ଉପରେ ଦୋଷ ଲଦି ‘ଭୋଟ ଚୋରି’ର ମିଥ୍ୟା ଅଭିଯୋଗ ଆଣୁଛନ୍ତି ।

ଗୃହମନ୍ତ୍ରୀ ଘୋଷଣା କରିଛନ୍ତି ଯେ ‘ ଭୋଟ ଚୋରି’ ଅଭିଯୋଗ ଉପରେ ଚର୍ଚ୍ଚା ପାଇଁ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାସହ ସେ *କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କୁ ସଂସଦ ଗୃହ ଭିତରକୁ ଆସି ପ୍ରତ୍ୟେକ ଅଭିଯୋଗ ଉପରେ ଖୋଲା ଆଲୋଚନା କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଶାହ କହିଛନ୍ତି, “ରାହୁଲ ବାବା କେବେ ବି ସଂସଦରେ ଆଲୋଚନା ପାଇଁ ରାଜି ହେବେ ନାହିଁ; ସେ କେବଳ ରାଜରାସ୍ତାରେ ହଙ୍ଗାମା ଓ ଡ୍ରାମା କରିବାକୁ ଚାହାଁନ୍ତି ।” ଶାହ ଆହୁରି କହିଛନ୍ତି ଯେ ଉଭୟ ନେତା ନିଜ ବଳରେ କୌଣସି ନିର୍ବାଚନ ଜିତିପାରି ନାହାଁନ୍ତି I ନିର୍ବାଚନ ଆୟୋଗଙ୍କ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ I ବିରୋଧୀ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବିଧାନିକ ସଂସ୍ଥାର ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଉଥିବା ବେଳେ, ବିଜେପି ସଂସଦରେ ଏହାର ଉଚିତ ଜବାବ ଦେବାକୁ ତ୍ରୁଟି ରଖିବ ନାହିଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି ।

ଏହି ବିବାଦକୁ ନେଇ ଦେଶର ରାଜନୈତିକ ବାତାବରଣ ସରଗରମ ରହିଛି। ବିରୋଧୀମାନେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରୁଥିବାବେଳେ, ଶାସକ ଦଳ ଏହାର କଡା ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିସାରିଛି। ଆଗାମୀ ଦିନରେ ଏହି ପ୍ରସଙ୍ଗ ସଂସଦରେ ଏକ ବଡ଼ ଧରଣର ରାଜନୈତିକ ଲଢ଼େଇର ରୂପ ନେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.