Latest Odisha News

Avalanche Hits Kedartal Trek:କେଦାରତାଲ୍ ଟ୍ରେକ୍‌ରେ ହିମସ୍ଖଳନ,ରାସ୍ତା ଅବରୋଧ…ଫସି ରହିଛନ୍ତି ୮ଜଣ;ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରକାଶୀ:ଉତ୍ତରକାଶୀ ଜିଲ୍ଲାର କେଦାରତାଲ୍ ଟ୍ରେକ୍‌ରେ(Bhojkharak) ଥିବା ପଦଯାତ୍ରୀ (ଟ୍ରେକର୍) ଏବଂ ସେମାନଙ୍କ ସହଯୋଗୀ କର୍ମଚାରୀମାନେ ହିମସ୍ଖଳନ ଯୋଗୁଁ ରାସ୍ତାରେ ଫସି ରହିଥିବା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଭୋଜଖରକ (Bhoj Kharak) ଆଗକୁ ହିମସ୍ଖଳନ (avalanche) ଯୋଗୁଁ ଆଠ ଜଣ ବ୍ୟକ୍ତି ଫସି ରହିଛନ୍ତି, ଅନ୍ୟପକ୍ଷରେ ତିନି ଜଣ ପୋର୍ଟର ଓ ଜଣେ ରୋଷେୟାଙ୍କ ସମେତ ଚାରି ଜଣ ବ୍ୟକ୍ତି ସୁରକ୍ଷିତ ମିଳିଛନ୍ତି । ଏପଟେ ଫସି ରହିଥିବା ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ NDRF, SDRF, ବନ ବିଭାଗ ଏବଂ ଏକ ଟ୍ରେକିଂ ସଂସ୍ଥାର ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖରାପ ପାଗ, ତୁଷାରପାତ ଏବଂ ଗ୍ଲେସିୟର କାରଣରୁ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ବାଧାବିଘ୍ନ ସୃଷ୍ଟି ହେଉଛି।

ଜିଲ୍ଲା ପ୍ରଶାସନ ଅନୁଯାୟୀ, ୧୩ ଜଣିଆ ଏକ ଦଳ—ଯେଉଁଥିରେ ସାତ ଜଣ ପଦଯାତ୍ରୀ (ଟ୍ରେକର୍) ଏବଂ ଛଅ ଜଣ ସହାୟକ କର୍ମଚାରୀ ଅନ୍ତର୍ଭୁକ୍ତ ଥିଲେ । ଅକ୍ଟୋବର ୨୭ ତାରିଖରେ ଗଙ୍ଗୋତ୍ରୀରୁ କେଦାରତାଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଦଳର ଜଣେ ରୋଷେୟା ଅକ୍ଟୋବର ୨୯ ତାରିଖରେ ଗଙ୍ଗୋତ୍ରୀକୁ ଫେରି ଆସିଥିଲେ। ଦଳର ଅନ୍ୟ ସଦସ୍ୟମାନେ ଅକ୍ଟୋବର ୨୯ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଖରାପ ପାଗ ଏବଂ ପ୍ରବଳ ତୁଷାରପାତ ଯୋଗୁଁ ପଦଯାତ୍ରା ପଥ ଅବରୋଧହୋଇଯାଇଥିଲା। ରାସ୍ତାରେ ବରଫ ଜମି ରହିବା ଏବଂ ଗ୍ଲେସିୟର୍ ଥିବା କାରଣରୁ ଦଳଟି ନିର୍ଦ୍ଧାରିତ ସମୟରେ ଫେରିପାରି ନଥିଲେ। ଅକ୍ଟୋବର ୩୦ ତାରିଖରେ, ଟ୍ରେକିଂ ଏଜେନ୍ସି ମାଧ୍ୟମରେ ଫୋନ୍ ଯୋଗେ ଯୋଗାଯୋଗ କରାଯିବା ପରେ, ସେହି ଦଳ ଜଣାଇଲେ ଯେ ସେମାନେ କଚ୍ଛି ଢାଙ୍ଗ (Kachhi Dhang) ନିକଟରେ ସୁରକ୍ଷିତ ଅଛନ୍ତି ଏବଂ ସହାୟତା ପାଇଁ ଅନୁରୋଧ କଲେ।

ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଶାନ୍ତ ଆର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଏକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା। ଅକ୍ଟୋବର ୩୦ ତାରିଖରେ, ଟ୍ରେକିଂ ଏଜେନ୍ସି ଦ୍ୱାରା ପଠାଯାଇଥିବା ପୋର୍ଟର ଓ ଗାଇଡମାନଙ୍କର ଏକ ଦଳ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଟ୍ରେକିଂ ପଥକୁ ସଫା କରିବାକୁ ଉଦ୍ୟମ କରିଥିଲେ। ଶନିବାର ସକାଳ ୬ଟା ସମୟରେ, ଏନ୍‌ଡିଆର୍‌ଏଫ୍ (NDRF) ର ୧୦ ଜଣିଆ ଏକ ଦଳ ଉତ୍ତରକାଶୀରୁ ଗଙ୍ଗୋତ୍ରୀ ଅଭିମୁଖେ ଯାତ୍ରା କଲେ। ଏଥିସହିତ, ବନ ବିଭାଗର ଦୁଇ ଜଣ ସଦସ୍ୟ, ଟ୍ରେକିଂ ଏଜେନ୍ସିର ସାତ ଜଣ ପ୍ରତିନିଧି ଏବଂ ଏସ୍‌ଡିଆର୍‌ଏଫ୍ (SDRF) ର ଛଅ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଅନ୍ୟ ଏକ ଦଳ ମଧ୍ୟ ଗଙ୍ଗୋତ୍ରୀରୁ କେଦାରତାଲ ଆଡ଼କୁ ପଠାଯାଇଥିଲା।

ପ୍ରଶାସନ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରି ଆଣିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରୁଛି। ଏହି ସମୟରେ, ବିପର୍ଯ୍ୟୟ ପରିଚାଳନା ବିଭାଗ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ବ୍ୟବହାର ସୁନିଶ୍ଚିତ କରିବା ନିମନ୍ତେ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କ ନିକଟକୁ ଅନୁରୋଧ ପଠାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ସମସ୍ତ ନିୟୋଜିତ ଦଳକୁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା, ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଫସି ରହିଥିବା ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ଟ୍ରେକର୍‌ମାନଙ୍କ (ପାଦଯାତ୍ରୀଙ୍କ) ସ୍ଥିତି ଉପରେ ନିରନ୍ତର ନଜର ରଖିଛି ।

 

 

Leave A Reply

Your email address will not be published.