ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ସେ ୫୬ ବର୍ଷ ବୟସରେ ସାମ୍ବାଦିକ ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଏନେଇ ଅବଦୁଲ୍ଲା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ବିବାହ ନେଇ ସ୍ପଷ୍ଟ କରିଥିଲେ।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଫଟୋଗୁଡ଼ିକୁ ସେୟାର କରିଥିଲେ। ସେ ପୋଷ୍ଟରେ ନିଧି ରାଜଦାନଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ। ଏହି ବ୍ୟକ୍ତିଗତ ଅବସରକୁ ପାଳନ କରିବା ପାଇଁ ଶନିବାର ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ନିଧି ଏକ୍ସରେ ମଜାଳିଆ ଢଙ୍ଗରେ “ଇଟ୍ସ ଡନ୍ ବ୍ରୋ” ବୋଲି ଲେଖିଛନ୍ତି।
ଅନ୍ୟପଟେ ନିଧି ରାଜଦାନ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲର ଜଣେ ସାମ୍ବାଦିକ।
ଦିଲ୍ଲୀର ପୃଥ୍ୱୀରାଜ ରୋଡରେ ଥିବା ଜମ୍ମୁ କାଶ୍ମୀର ହାଉସରେ ରାତ୍ରୀଭୋଜନ ପାଇଁ କେବଳ ୭୧ ଜଣ ମନୋନୀତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅତିଥି ତାଲିକାରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରବର୍ଟ ଭାଡ୍ରା ଏବଂ ମେହବୁବା ମୁଫତିଙ୍କ ପରି ପ୍ରମୁଖ ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ ଥିଲେ। ନିମନ୍ତ୍ରିତ ଅନ୍ୟମାନଙ୍କ ମଧ୍ୟରେ ଡେରେକ୍ ଓ’ବ୍ରାଏନ୍, କପିଲ୍ ସିବଲ, ନିଶିକାନ୍ତ ଦୁବେ ଏବଂ ପବନ ଖେରା ଅନ୍ତର୍ଭୁକ୍ତ।
ଉଲ୍ଲେଖଯୋଗ୍ୟ, ଓମାର ଅବଦୁଲ୍ଲା ପ୍ରଥମ ବିବାହ ପାୟଲ ନାଥଙ୍କୁ ୧ ସେପ୍ଟେମ୍ବର ୧୯୯୪ରେ କରିଥିଲେ। ଏହି ଦମ୍ପତି ୨୦୦୯ରୁ ଅଲଗା ଭାବରେ ରହୁଥିଲେ। ଓମାର ୨୦୧୧ରେ ସାର୍ବଜନୀନ ଭାବରେ ପରସ୍ପର ଠାରୁ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଛାଡପତ୍ର ମାମଲା ଦୀର୍ଘ ସମୟ ଧରି ଚାଲିଥିଲା। ପ୍ରଥମେ ପରିବାର କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଥିଲେ। ଶେଷରେ, ୩୧ ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟ ପାରସ୍ପରିକ ସମ୍ମତି ଆଧାରରେ ଛାଡପତ୍ରକୁ ମଞ୍ଜୁର କରିଥିଲେ। ଏବେ କିଛି ମାସ ପରେ, ଓମାର ଅବଦୁଲ୍ଲା ନିଧି ରାଜଦାନଙ୍କ ସହିତ ତାଙ୍କର ନୂତନ ଜୀବନ ଆରମ୍ଭ କରିଛନ୍ତି।
ବୈବାହିକ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସହମତିରେ ରାଜିନାମା କରିବା ପରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଛାଡ଼ପତ୍ରକୁ ମଞ୍ଜୁରି ଦେଇଥିଲେ। ଓମାରଙ୍କ ପ୍ରଥମ ବିବାହରୁ ଦୁଇଜଣ ପୁଅ ଅଛନ୍ତି।
