ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି । ଯେଉଁ କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ବହୁ ପରିମାଣରେ ପ୍ରବେଶ କରୁଥିବାରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ଯାହାକୁ ନଜରରେ ରଖି ଜଳଭଣ୍ଡାରର ସ୍ଲୁଇସ ଗେଟ୍ ମଧ୍ୟରୁ ରବିବାର ୨ଟି ପର୍ଯ୍ୟାୟରେ ୩ଟି ଗେଟ୍ ଖୋଲାଯାଇଛି । ସେଥିମଧ୍ୟରେ ଜଳଭଣ୍ଡାରର ବାମପାର୍ଶ୍ୱର ୨ଟି ଓ ଦକ୍ଷିଣ ପାର୍ଶ୍ବର ଗୋଟିଏ ମିଶି ମୋଟ ୩ଟି ସ୍ଲୁଇସ୍ ଗେଟ୍ କୁ ଖୋଲାଯାଇ ମହାନଦୀକୁ ଅତିରିକ୍ତ ବନ୍ୟା ନିଷ୍କାସନ କରାଯାଉଛି ।
ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୬୨ ଫୁଟ କୁ ବୃଦ୍ଧି ପାଇଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୧୪ ହଜାର ୮୭୯ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୮୪,୯୮୯ ଘନଫୁଟ ଜଳ ନିଷ୍କାସିତ ହେଉଛି ।
