Dipak Samantarai: ଆଉ ନାହାନ୍ତି ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ଦୀପକ ସାମନ୍ତରାୟ, କଟକ ଐତିହ୍ୟର ଅନନ୍ୟ ସାଧକଙ୍କୁ ହରାଇଲା ଓଡ଼ିଶା
କଟକ: ଓଡ଼ିଶାର ଗଣମାଧ୍ୟମ ଓ ସାହିତ୍ୟ ଜଗତରେ ଶୋକର ଛାୟା। ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ, କବି, ଲେଖକ ତଥା ଶିକ୍ଷାବିତ୍ ଡ. ଦୀପକ ସାମନ୍ତରାୟଙ୍କ ପରଲୋକ ଘଟିଛି। ଆକାଶବାଣୀ ଓ ଦୂରଦର୍ଶନ ସହ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ରହି ସେ ଗଣମାଧ୍ୟମ ଓ ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ଆଜି ତାଙ୍କ ବିୟୋଗ ଗଣମାଧ୍ୟମ ଏବଂ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।
ଡ. ଦୀପକ ସାମନ୍ତରାୟ ଆକାଶବାଣୀ ଓ ଦୂରଦର୍ଶନର NABMର ପୂର୍ବତନ ନିର୍ଦ୍ଦେଶକ ଥିଲେ। ୧୯୮୭ରୁ ବିଭିନ୍ନ ରେଡିଓ କାର୍ଯ୍ୟକ୍ରମ, ନାଟକ, ସାକ୍ଷାତକାର ଓ ଧାରାବାହିକ ପ୍ରସ୍ତୁତି ଓ ଉପସ୍ଥାପନା କରିଥିଲେ। ଅଙ୍ଗନବାଡ଼ି ପିଲାଙ୍କ ପାଇଁ ୧୫୬ ଅଧ୍ୟାୟ ବିଶିଷ୍ଟ ‘କାଳିକା’, ସମାଜ ସଂସ୍କାରକଙ୍କ ଉପରେ ‘ଦଧ୍ୟତା ଭକ୍ତି’ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଉପରେ ‘ମୁକ୍ତିରତ୍ନୁର୍ଯ୍ୟାନନ୍ଦ’ ଭଳି କାର୍ଯ୍ୟକ୍ରମ ତାଙ୍କର ଉଲ୍ଲେଖନୀୟ ସୃଷ୍ଟି। ଯାହା ଆଜି ବି ପ୍ରଶଂସନୀୟ ।
ଡ. ଦୀପକ ସାମନ୍ତରାୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର, ଏମ୍ଜେଏମ୍ସି ଓ ଏଲ୍ଏଲ୍ବି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଥିଲେ। ‘ଛାଇ ଆଲୁଅର ପଶାଖେଳ’, ‘କଣ୍ଟାଲେଖା’, ‘ଶୋଷ’ ଓ ‘ସେଭେନ୍ ହର୍ସେସ୍’ ଭଳି କବିତା ପୁସ୍ତକ ସହ ‘ଆଜିର ଅନୁଚିନ୍ତା’ ଓ ‘ଶାନ୍ତ ମନ ସୁସ୍ଥ ଜୀବନ’ ଭଳି ତାଙ୍କର ଗଦ୍ୟ ପୁସ୍ତକ ରଚନା ଆଜି ବି ଦର୍ଶକଙ୍କ ଗହଣରେ ଅମର। ସେ ଆକାଶବାଣୀର ବାର୍ଷିକ ପୁରସ୍କାର ସହ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମଧ୍ୟ ପାଇଥିଲେ।
କେବଳ ଗଣମାଧ୍ୟମ ଓ ସାହିତ୍ୟ ନୁହେଁ, କଟକର ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ଥିଲା। କଟକ ହେରିଟେଜ୍ ୱାକ୍ର ମୁଖ୍ୟ ପ୍ରେରଣାଶକ୍ତି ଭାବେ ସେ କାର୍ଯ୍ୟ କରିଥିଲେ। କଟକ ତାରକସିକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପ୍ରୟାସରେ ମଧ୍ୟ ସେ ବେଶ୍ ଉତ୍ସାହର ସହ ଜଡ଼ିତ ଥିଲେ।
ଆଉ ଆଜି ତାଙ୍କ ବିୟୋଗରେ ଗଣମାଧ୍ୟମ, ସାହିତ୍ୟ ଓ କଟକର ଐତିହ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି।
