Latest Odisha News

BREAKING NEWS

ଦେଶର ପ୍ରତିରକ୍ଷା ଶକ୍ତି ହେଲା ଆହୁରି ମଜବୁତ; ଚାନ୍ଦିପୁରରୁ ସଫଳତାର ସହିତ ପରୀକ୍ଷଣ ହେଲା ଅତ୍ୟାଧୁନିକ କ୍ଷେପଣାସ୍ତ୍ର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (DRDO)ର ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଆଜି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷା ହୋଇଛି । ଲଞ୍ଚ କମ୍ପ୍ଲେକ୍ସ -୩ରୁ ଆଜି ଦିନ ୧୧ଟା ୧୯ଟାରେ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା ।

କ୍ଷେପଣାସ୍ତ୍ରଟି ଆକାଶ ମାର୍ଗରେ ଗତି କରି ବଙ୍ଗୋପସାଗର ମଧ୍ୟରେ ଥିବା ଏକ ନିର୍ଦ୍ଦିଷ୍ଟ କୃତ୍ରିମ ଲକ୍ଷ୍ୟକୁ ସଠିକ୍ ଭାବେ ଧ୍ୱଂସ କରିଥିଲା। ଏହି ପରୀକ୍ଷଣର ସମସ୍ତ ମାନଦଣ୍ଡ ଶତପ୍ରତିଶତ ସଫଳ ହୋଇଥିବା ଡିଆରଡିଓ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି।

ପରୀକ୍ଷଣ ସମୟରେ ଏହାର ଗତିପଥ ତଥା କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଷ୍ଟେସନ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଉଭୟ ଦିନ ଓ ରାତିରେ ସମାନ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ଉନ୍ନତ ନାଭିଗେସନ୍ ସିଷ୍ଟମ୍ ଏବଂ ଶକ୍ତିଶାଳୀ ୱାରହେଡ୍ ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି। ଏହା ଦେଶର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାରେ ସହାୟକ ହେବ ।

କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଲଞ୍ଚ କମ୍ପ୍ଲେକ୍ସ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଥିଲା । ୨୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାୟୀ ଓ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତ କରାଯାଇ ଥିଲା । ଡିଆରଡିଓର ନିର୍ଦ୍ଦେଶ ପର୍ଯ୍ୟନ୍ତ ଲୋକମାନେ ଶିବିରରେ ରହି ଥିଲେ । ଡିଆରଡିଓ ପକ୍ଷରୁ ଲୋକଙ୍କୁ ଆର୍ଥିକ ସହାୟତା ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସଫଳ ଉତକ୍ଷେପଣ ପରେ ସମସ୍ତ ଗ୍ରାମବାସୀ ନିଜ ନିଜ ଘରକୁ ଫେରିଥିବା ସୂଚନା ରହିଛି ।

Leave A Reply

Your email address will not be published.