Latest Odisha News

BREAKING NEWS

ଦିନେ ଥିଲେ ଡିଜିପି ରେସରେ, ଏବେ ବନ୍ଧା ହେବା ଆଶଙ୍କାରେ ଆଇପିଏସ ସୁଶାନ୍ତ ନାଥ

ଭୁବନେଶ୍ୱର: ପୂର୍ବତନ ଜେଲ ଡିଜି ତଥା ଆଇପିଏସ ଅଫିସର ସୁଶାନ୍ତ କୁମାର ନାଥଙ୍କ ପାଇଁ ଅଡୁଆ ଲଗାତାର ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ପ୍ରକାଶ ପାଇଛି। ଦିନେ ରାଜ୍ୟର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ହେବା ନେଇ ଚର୍ଚ୍ଚାରେ ଥିବା ଏହି ଅଫିସର ଏବେ ନିଜେ ବିବାଦୀୟ ଜାଲରେ ଛନ୍ଦି ହୋଇପଡିଛନ୍ତି। ପ୍ରଥମେ ଜଣେ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଦେବା ଏବଂ ଏବେ ଜଣେ କଏଦୀଙ୍କୁ ମିଛ ବ୍ରାଉନ ସୁଗାର ମାମଲାରେ ଫସାଇବା ପାଇଁ ଅନ୍ୟ ଜଣେ ଅଧିକାରୀଙ୍କ ଉପରେ ଚାପ ପକାଇବା ଭଳି ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ଆସିଛି।

ଚୌଦ୍ୱାର ସର୍କଲ ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାସ ସୁଶାନ୍ତ ନାଥଙ୍କ ବିରୋଧରେ ଚୌଦ୍ୱାର ଥାନାରେ ଯୌନ ନିର୍ଯାତନାର ଏକ ବିଧିବଦ୍ଧ ଏତଲା ଦାୟର କରିଛନ୍ତି। ସନ୍ତୋଷିନୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୨୫ ମସିହା ଜୁନ ୧୬ ତାରିଖରେ ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥ ଚୌଦ୍ୱାର ଜେଲ ଗସ୍ତରେ ଆସିଥିଲେ। ସେହି ସମୟରେ ସନ୍ତୋଷିନୀ ଛୁଟିରେ ଥିଲେ। ପରେ ଜୁଲାଇ ୧୮ ତାରିଖରେ ସେ ଡ୍ୟୁଟିରେ ଯୋଗ ଦେବା ପରେ ଜେଲ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୁଶାନ୍ତ ନାଥଙ୍କୁ ଫୋନ କରିଥିଲେ। କଥାବାର୍ତ୍ତା ବେଳେ କୁଲଦୀପ ପ୍ରଧାନ ନାମକ ନିଜର ଜଣେ ବନ୍ଧୁଙ୍କ ଚୌଦ୍ୱାର ଜେଲ ଗସ୍ତ ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ସୁଶାନ୍ତ ନାଥ ସନ୍ତୋଷିନୀଙ୍କୁ କହିଥିଲେ।

କୁଲଦୀପ ଜେଲରେ ପହଞ୍ଚିବା ପରେ ସନ୍ତୋଷିନୀଙ୍କ ସହ ଫଟୋ ଉଠାଇଥିଲେ ଏବଂ ତାଙ୍କ ମୋବାଇଲ ନମ୍ବର ନେଇଥିଲେ। ପରବର୍ତ୍ତୀ ସମୟରେ କୁଲଦୀପ ସେହି ଫଟୋ ସହିତ କିଛି ଅଶ୍ଳୀଳ ମେସେଜ ପଠାଇଥିବା ସନ୍ତୋଷିନୀ ଏତଲାରେ ଉଲ୍ଲେଖ କରିଛନ୍ତି। ଏହା ପରେ ୨୦୨୫ ଅଗଷ୍ଟ ୨୯ ତାରିଖରେ କୁଲଦୀପ ତାଙ୍କୁ ଫୋନ କରି କଟକର ବ୍ଲାଷ୍ଟ ନାମକ ଏକ ରେସ୍ତୋରାଁକୁ ରାତ୍ରି ଭୋଜନ ପାଇଁ ଏକୁଟିଆ ଡାକିଥିଲେ। ସନ୍ତୋଷିନୀ ଏହାକୁ ମନା କରିବାରୁ ଜେଲ ଡିଜି ସୁଶାନ୍ତ ନାଥ ତାଙ୍କୁ ଏକୁଟିଆ ଭେଟିବାକୁ ଚାହୁଁଛନ୍ତି ବୋଲି କୁଲଦୀପ କହିଥିଲେ। ସେହିପରି ୨୦୨୫ ସେପ୍ଟେମ୍ବର ୨୫ ତାରିଖରେ ମଧ୍ୟ କୁଲଦୀପ ତାଙ୍କୁ କଟକର ହୋଟେଲ ପ୍ରମୋଦକୁ ଡାକିଥିଲେ। ଏଥିରେ ରାଜି ନହେବାରୁ ସନ୍ତୋଷିନୀ ଜେଲ ଡିଜିଙ୍କ ଟାର୍ଗେଟକୁ ଆସିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଥିବା ସୂଚନା ରହିଛି ।

ଅନ୍ୟ ଏକ ଘଟଣାରେ ଚୌଦ୍ୱାର ଜେଲରୁ ଦୁଇ ଜଣ ବିହାରୀ ଅପରାଧୀ ଫେରାର ହେବା ମାମଲାରେ ସନ୍ତୋଷିନୀଙ୍କ ଦସ୍ତଖତ ଜାଲିଆତି କରାଯାଇଥିଲା। ଏହି ମାମଲାରେ ଜେଲ ଅଧୀକ୍ଷକ ସୁଜିତ ରାଉତଙ୍କ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ସୁଶାନ୍ତ ନାଥ ଅନ୍ୟ ଏକ ନମ୍ବରରୁ ସନ୍ତୋଷିନୀଙ୍କୁ ଫୋନ କରି ନିଜ କାର୍ଯ୍ୟାଳୟକୁ ଡାକିଥିଲେ। ସେଠାରେ ତାଙ୍କୁ ଧମକ ଦିଆଯାଇଥିଲା ଯେ ଯଦି ସେ କୁଲଦୀପଙ୍କ ପ୍ରସ୍ତାବରେ ରାଜି ହୋଇ ତାଙ୍କୁ ଏକୁଟିଆ ଭେଟିଥାନ୍ତେ ତେବେ ଏହି ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡି ନଥାନ୍ତା। ଏହା ସହ ସୁଜିତ ରାଉତଙ୍କ ବିରୋଧରେ ଦେଇଥିବା ଏତଲା ପ୍ରତ୍ୟାହାର ନକଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ମଧ୍ୟ ସେ ଧମକ ଦେଇଥିଲେ।

ଏହି ଅଭିଯୋଗ ପରେ ରାଜ୍ୟ ସରକାର ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ। ତେବେ ଏହି ବିବାଦ ଥମି ନଥିବା ବେଳେ ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଳିକ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ନିଜର ଏକ ଲିଖିତ ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଜଣେ କଏଦୀଙ୍କୁ ମିଛ ବ୍ରାଉନ ସୁଗାର ମାମଲାରେ ଫସାଇବା ପାଇଁ ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥ ତାଙ୍କ ଉପରେ ଚାପ ପକାଇଥିଲେ। ସେ ଏହି ବେଆଇନ କାମ କରିବାକୁ ମନା କରିବାରୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିଲମ୍ବିତ କରାଯାଇଥିଲା। ଏବେ ପ୍ରଦୀପ୍ତ ନିଜ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଲିଖିତ ନିବେଦନ କରିଛନ୍ତି।

ଗୋଟିଏ ପରେ ଗୋଟିଏ ବିବାଦୀୟ ଘଟଣାରେ ସୁଶାନ୍ତ ନାଥଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ଏବେ ତାଙ୍କ ବିରୋଧରେ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.