ଅକ୍ଲାଣ୍ଡ: ଅକ୍ଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୫ ଓ୍ୱିକେଟରେ ପରାସ୍ତ କରି ସିରିଜରେ ବିଜୟୀ ଆରମ୍ଭ କରିଛି । ଏହି ମ୍ୟାଚ୍ରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଉ ଏକ ଦମଦାର ପାଳି ଖେଳିଥିଲେ । ମାତ୍ର ୫୧ଟି ବଲ୍ର ସାମ୍ନା କରି ସେ ୧୩ଟି ଚୌକା ଓ ୧ଟି ଛକା ସହାୟତାରେ ୭୪ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ । ଏହି ଚମତ୍କାର ପାଳି ସହ ସେ ନିଜ କ୍ରିକେଟ କ୍ୟାରିୟରରେ କେତେକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । କୋହଲି ଏବେ ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ୧୮୦ଟି ଦିନିକିଆ ମ୍ୟାଚ୍ରେ କୋହଲିଙ୍କ ରନ୍ ସଂଖ୍ୟା ୮,୭୪୧ରେ ପହଞ୍ଚିଛି । ଏହାପୂର୍ବରୁ ସଚିନ୍ ତେନ୍ଦୁଲକର ୨୪୨ଟି ଇନିଂସରୁ ୮,୭୨୦ ରନ୍ ସହ ପ୍ରଥମ ସ୍ଥାନରେ ଥିଲେ ।
ବିପକ୍ଷ ଦଳର ଘରୋଇ ଗ୍ରାଉଣ୍ଡରେ ୫୦ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ (୨୧ଟି ଶତକ ଓ ୨୯ଟି ଅର୍ଦ୍ଧଶତକ) ସ୍କୋର କରିବାରେ କୋହଲି ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗାକାରାଙ୍କ (୪୫ ଥର) ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରି କୋହଲି ୫୦ ଓଭର କ୍ରିକେଟ ଫର୍ମାଟରେ ୧୩,୦୦୦ ରନ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ୨୫୪ଟି ମ୍ୟାଚ୍ରେ ଏହି ପୋଜିସନ୍ରେ ଖେଳି ସେ ୪୮ଟି ଶତକ ଓ ୭୦ଟି ଅର୍ଦ୍ଧଶତକ ସହ ୧୩,୦୬୨ ରନ୍ ସଂଗ୍ରହ କରିସାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ସର୍ବାଧିକ ରନ୍ କରିବା ମାମଲାରେ କୋହଲି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ ସହ ସମାନ ହୋଇଛନ୍ତି । ଦୁହେଁ କିୱି ଦଳ ବିପକ୍ଷରେ ୧,୯୭୧ ରନ୍ କରିଛନ୍ତି । ପଣ୍ଟିଂ ୫୦ଟି ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଥିବା ବେଳେ କୋହଲି ମାତ୍ର ୩୭ଟି ଇନିଂସରେ ଏହା ହାସଲ କରିଛନ୍ତି । ଏହି ବିଜୟ ସହ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି ।
