ପାକିସ୍ତାନର ସେନାମୁଖ୍ୟ ଅସିମ୍ ମୁନିର ହିନ୍ଦୁ ଓ ଯିହୁଦୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ପାକିସ୍ତାନ ଏବଂ ସମଗ୍ର ମୁସଲିମ ସମ୍ପ୍ରଦାୟ ପାଇଁ ଏକ ବଡ଼ ଭୂ-ରାଜନୈତିକ ବିପଦ ବୋଲି ଆଖ୍ୟା ଦେଇଛନ୍ତି। ଇରାନର ପ୍ରମୁଖ ସୁରକ୍ଷା ଅଧିକାରୀ ମୋହସେନ୍ ରେଜାଇ ଏହି ବିଷୟରେ ସୂଚନା ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଇରାନର ରାଜଧାନୀ ତେହେରାନ୍ରେ ଅନୁଷ୍ଠିତ ଏକ ଚାରି-ଦେଶର ସୁରକ୍ଷା ବୈଠକରେ ପାକିସ୍ତାନ, ତୁର୍କୀ, ସାଉଦୀ ଆରବ ଏବଂ ଇରାନର ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକ ସମୟରେ ଅସିମ୍ ମୁନିର ଦାବି କରିଥିଲେ ଯେ ଭାରତ (ହିନ୍ଦୁ) ଏବଂ ଇସ୍ରାଏଲ (ଯିହୁଦୀ) ମଧ୍ୟରେ ଗଢ଼ି ଉଠୁଥିବା ମଜବୁତ ସମ୍ପର୍କ ଓ ମେଣ୍ଟ ମୁସଲିମ ଦେଶଗୁଡ଼ିକ ବିରୋଧରେ ଉଦ୍ଦିଷ୍ଟ। ତୁର୍କୀର ଗୁପ୍ତଚର ମୁଖ୍ୟ ଇବ୍ରାହିମ୍ କାଲିନ୍ ମଧ୍ୟ ଇସ୍ରାଏଲରୁ ରହିଥିବା ବିପଦ ଉପରେ ଚିନ୍ତା ପ୍ରକଟ କରିଥିଲେ।
ଇରାନର ସରକାରୀ ପ୍ରସାରକ ସଂସ୍ଥା (IRIB) କୁ ଦେଇଥିବା ଏକ ସାକ୍ଷାତକାରରେ ରେଜାଇ ମୁନିରଙ୍କ ଏହି ବକ୍ତବ୍ୟର ଖୁଲାସା କରିଛନ୍ତି। ବିଶ୍ଳେଷକମାନଙ୍କ ମତରେ, ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରତିରକ୍ଷା, ଗୁପ୍ତଚର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବିଡ଼ ହେଉଥିବା ପାକିସ୍ତାନର ଚିନ୍ତା ବୃଦ୍ଧି କରିଛି। ମୁନିର ନିଜର ଆଣ୍ଟି-ଇଣ୍ଡିଆ ତଥା ଧାର୍ମିକ ଆଭିମୁଖ୍ୟକୁ ନେଇ ପୂର୍ବରୁ ମଧ୍ୟ ବିବାଦୀୟ ବକ୍ତବ୍ୟ ଦେଇସାରିଛନ୍ତି। ଏବେ ସେ ଇସ୍ରାଏଲ ଓ ଯିହୁଦୀ ସମ୍ପର୍କକୁ ଏଥିରେ ଯୋଡ଼ି ମୁସଲିମ ଦେଶଗୁଡ଼ିକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ତାଙ୍କର ଏହି ପ୍ରଚାର ପାକିସ୍ତାନର କ୍ରମାଗତ ଭୟ ଓ କୂଟନୈତିକ ଅସହାୟତାକୁ ଦର୍ଶାଉଛି।
ଭାରତ ଓ ଇସ୍ରାଏଲର ଏହି ବଢୁଥିବା ସହଯୋଗ କେବଳ ପାକିସ୍ତାନ ନୁହେଁ, ବରଂ ଆଞ୍ଚଳିକ ସୁରକ୍ଷା ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ନିଜର ଦୁର୍ବଳ ଅର୍ଥନୀତି ଓ ଆଭ୍ୟନ୍ତରୀଣ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଧାର୍ମିକ ଭାବନାକୁ ଉସୁକାଇ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ହାସଲ କରିବାକୁ ଏକ ନୂତନ କୂଟନୈତିକ କୌଶଳ ଆପଣାଉଛି।
