Latest Odisha News

BREAKING NEWS

ଲସ୍ ଆଞ୍ଜେଲସ୍ ମେୟର୍ ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ନିତ୍ୟା ରାମନ୍

ଲସ୍ ଆଞ୍ଜେଲସ୍: ଆମେରିକା ରାଜନୀତିରେ ପୁଣି ଏକ ଐତିହାସିକ ସଫଳତା। ଭାରତରେ ଜନ୍ମିତ ତଥା ଡେମୋକ୍ରାଟିକ୍ ସୋସିଆଲିଷ୍ଟ ନେତ୍ରୀ ନିତ୍ୟା ରାମନ୍ ଆମେରିକାର ଦ୍ୱିତୀୟ ବୃହତ୍ତମ ସହର ଲସ୍ ଆଞ୍ଜେଲସ୍ ର ନୂତନ ମେୟର୍ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦବୀରେ ଅଧିଷ୍ଠିତ ହେବାରେ ସେ ପ୍ରଥମ ଭାରତୀୟ-ଆମେରିକୀୟ ତଥା ପ୍ରଥମ ଦକ୍ଷିଣ ଏସୀୟ ମହିଳା। କଡ଼ା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନରେ ସେ ବର୍ତ୍ତମାନର ମେୟର୍ କେରେନ୍ ବାସ୍‌ଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି।

୧୯୮୧ ମସିହାରେ ଭାରତର କେରଳରେ ଜନ୍ମଗ୍ରହଣ କରିଥିବା ନିତ୍ୟା ୬ ବର୍ଷ ବୟସରେ ପରିବାର ସହ ଆମେରିକା ଯାଇଥିଲେ । ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ବିଶ୍ୱପ୍ରସିଦ୍ଧ ଏମ୍‌ଆଇଟିରୁ ଅର୍ବାନ୍ ପ୍ଲାନିଂରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ନଗର ଯୋଜନାକାରୀ, ସାମାଜିକ କର୍ମୀ ଏବଂ ବାସହୀନଙ୍କ ପାଇଁ କାମ କରୁଥିବା ବିଭିନ୍ନ ସଂଗଠନର ନେତୃତ୍ୱ ନେଇଥିଲେ। ୨୦୨୦ ମସିହାରେ ସେ ପ୍ରଥମ ଥର ପାଇଁ ଲସ୍ ଆଞ୍ଜେଲସ୍ ସିଟି କାଉନ୍‌ସିଲ୍‌କୁ ନିର୍ବାଚିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଚଳିତ ମେୟର୍ ନିର୍ବାଚନ ପ୍ରଚାର ସମୟରେ ନିତ୍ୟା ରାମନ୍ ମୁଖ୍ୟତଃ ସାଧାରଣ ଲୋକଙ୍କ ନିମନ୍ତେ ଶସ୍ତା ଗୃହ ନିର୍ମାଣ, ବାସହୀନ ସମସ୍ୟାର ସ୍ଥାୟୀ ସମାଧାନ, ଭଡ଼ାଟିଆଙ୍କ ଅଧିକାର ସୁରକ୍ଷା ଏବଂ ସହରର ଭିତ୍ତିଭୂମିର ସୁଧାର ଉପରେ ଗୁରୁତ୍ୱ ଦେଇଥିଲେ। ସହରବାସୀଙ୍କ ବର୍ଦ୍ଧିତ ସମସ୍ୟା ଓ ଅସନ୍ତୋଷକୁ ଆଧାର କରି ସେ ଏକ ସକାରାତ୍ମକ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ। ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ପରାଜିତ ମେୟର୍ କେରେନ୍ ବାସ୍ ଆନୁଷ୍ଠାନିକ ଭାବେ ନିଜର ପରାଜୟ ସ୍ୱୀକାର କରିବା ସହ ନିତ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିତ୍ୟାଙ୍କ ଏହି ବିଜୟ ଆମେରିକା ରାଜନୀତିରେ ଭାରତୀୟ ବଂଶୋଦ୍ଭବଙ୍କ ବୃଦ୍ଧିପାଉଥିବା ପ୍ରଭାବକୁ ପୁଣି ଥରେ ପ୍ରମାଣିତ କରିଛି।

ନିଜର ଏହି ଐତିହାସିକ ସଫଳତା ପରେ ନିତ୍ୟା ରାମନ୍ ସହରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ବର୍ଗର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷ କରି ଶ୍ରମିକ, ଯୁବବର୍ଗ ଏବଂ ସାଧାରଣ ନାଗରିକଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ନିତ୍ୟା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.