ରାୟଗଡ଼ା: ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ରାୟଗଡ଼ା ବାସଭବନରେ ଚଢ଼ାଉ କରିଛି। ଏକ ସ୍ଥାନୀୟ ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କାର ଆର୍ଥିକ ହେରଫେର ଓ ଅନିୟମିତତା ମାମଲାରେ ଏହି ରେଡ୍ କରାଯାଉଛି। ରାୟଗଡ଼ା ସହରର ରାଣିଗୁଡ଼ା ସ୍ଥିତ ପୂର୍ବତନ ସାଂସଦଙ୍କ ବାସଭବନ।
ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ୱାଇ. ଭେଙ୍କଟେଶ୍ବର ରାଓ ଏନ୍. ଭାସ୍କର ରାଓ ଏବଂ ଅନ୍ୟମାନଙ୍କ ବିରୋଧରେ ସଂଘର ପ୍ରାୟ ୮୦ କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ପୂର୍ବରୁ ପୋଲିସରେ ଅଭିଯୋଗ କରିଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ରାୟଗଡ଼ା ପୋଲିସଠାରୁ EOW କୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ ଅତିରିକ୍ତ ଏସପି ଆଶିଷ କୁମାର ମିଶ୍ରଙ୍କ ନେତୃତ୍ୱରେ ୫ ଜଣ ଡିଏସପି ଓ ୫ ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ୨୧ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ ଏହି ସର୍ଚ୍ଚ ଅପରେସନ ଚଳାଇଛନ୍ତି।
ଟିମ୍ ଗତ ଦୁଇ ଦିନ ଧରି ସ୍ଥାନୀୟ ପୋଲିସ ଷ୍ଟେସନରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିବା ପରେ ଆଜି ଏହି ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଘରେ ଅନୁପସ୍ଥିତ ଥିଲେ। EOW ଅଧିକାରୀମାନେ ଘରେ ଥିବା କର୍ମଚାରୀ ଓ ସହଯୋଗୀମାନଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଆର୍ଥିକ ଦସ୍ତାବିଜର ଯାଞ୍ଚ କରୁଛନ୍ତି।
