Latest Odisha News

BREAKING NEWS

ରିଲ୍ସ ଭାଇରାଲ ହେବା ପାଇଁ ଅଜବ କାଣ୍ଡ: ବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ ଯୁବକ

କୋଲକାତା: ରିଲ୍ସ କରିବା ନିଶାରେ ବାଳକଙ୍କ ଉପରେ ଅତ୍ୟାଚାର। କୋଲକାତାର ଗରଫା ଅଞ୍ଚଳରେ ସୋସିଆଲ ମିଡିଆ ରିଲ୍ସ (Reel) ବନାଇବା ନାଁରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପେଟ୍ରୋଲ ପିଇବାକୁ ବାଧ୍ୟ କରାଯିବା ସହ ନିଆଁ ଲଗାଇ ଦିଆଯାଇଥିବା ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ଅକ୍ଟୋବର ୨୭ ତାରିଖର। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନା ଅନୁସାରେ ପୀଡ଼ିତ ନାବାଳକ ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କର କିଛି ପରିଚିତ ଯୁବକ ତାଙ୍କୁ ଗୋଟିଏ ପୋଖରୀ ହୁଡ଼ାକୁ ଡାକି ନେଇଥିଲେ। ସେଠାରେ ଖେଳ ଖେଳିବା ବାହାନାରେ ତାଙ୍କ ଆଖିରେ ପଟି ବାନ୍ଧି ଓ ମୁଣ୍ଡରେ ହେଲମେଟ୍ ପିନ୍ଧାଇ ଚାପୁଡ଼ା ମାରିବାକୁ ଲାଗିଲେ। ନାବାଳକ ଜଣକ ବିରକ୍ତ ହୋଇ ହେଲମେଟ୍ କାଢ଼ିଦେବାରୁ ଆକ୍ରମଣକାରୀମାନେ ତାଙ୍କୁ ପେଟ୍ରୋଲ ପିଇବାକୁ ବାଧ୍ୟ କରିଥିଲେ। ସେ ଏହାକୁ ମନା କରି ପ୍ରତିରୋଧ କରିବାରୁ, ସେମାନେ ତାଙ୍କ ଶରୀରରେ ପେଟ୍ରୋଲ ଢାଳି ଦେଇଥିଲେ।

ଏହାପରେ ଜଣେ ଅଭିଯୁକ୍ତ ଦିଆସିଲି କାଠି ଜଳାଇ ତାଙ୍କ ଦେହ ଉପରକୁ ଫିଙ୍ଗିଦେଲା, ଯାହାଫଳରେ ନାବାଳକଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ଅନ୍ୟ ଜଣେ ସହଯୋଗୀ ମୋବାଇଲ୍‌ରେ ରିଲ୍ସ ବନାଇବା ପାଇଁ ଏହାର ଭିଡିଓ ସୁଟିଂ କରୁଥିଲା। ନାବାଳକ ଜଣକ ଜୀବନ ବିକଳରେ ଦୌଡ଼ିବା ସହ ନିଜର ଜଳୁଥିବା ପୋଷାକକୁ ଦେହରୁ କାଢ଼ି ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କୋଲକାତାର ଗରଫା ଥାନା ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଅର୍ଘ୍ୟ ସାହା ସମେତ ୩ ଜଣ ଯୁବକଙ୍କୁ ଗିରଫ କରିଛି ଏବଂ ଏଥିରେ ସାମିଲ ଥିବା ୨ ଜଣ ନାବାଳକଙ୍କୁ ଅଟକ ରଖିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏହି କାଣ୍ଡ ଭିଆଇଥିଲେ। ତେବେ ପୀଡ଼ିତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ୫୦୦ ଟଙ୍କାର ଏକ ପୁରୁଣା ଆର୍ଥିକ ବିବାଦ ଓ ଶତ୍ରୁତା ଯୋଗୁଁ ଏହିପରି ଭୟାନକ ଆକ୍ରମଣ କରାଯାଇଛି, ଯାହାକୁ ରିଲ୍‌ସର ରୂପ ଦେବାକୁ ଚେଷ୍ଟା କରାଯାଉଥିଲା।

Leave A Reply

Your email address will not be published.