Latest Odisha News

BREAKING NEWS

ନୂଆ ଜୀବନ ଆରମ୍ଭ କଲେ ୱାୟାନାଡ ଭୂ-ସ୍ଖଳନରୁ ବଂଚିଯାଇଥିବା ଏସ୍‌. ଶ୍ରୁତି

କେରଳମ୍‌: ଜୀବନ ଯାତ୍ରାରେ ହାରିନାହାନ୍ତି କେରଳମ୍‌ର ଏସ. ଶ୍ରୁତି । ପ୍ରଥମେ ୨୦୨୪ରେ ୱାୟାନାଡରେ ଘଟିଥିବା ଭୟଙ୍କର ଭୂ-ସ୍ଖଳନରେ ନିଜ ପରିବାରର ୯ଜଣ ସଦସ୍ୟଙ୍କୁ ହରାଇଥିଲେ । ପରେ ପରେ ଭାବି ସ୍ୱାମୀଙ୍କୁ ଏକ ସଡକ ଦୁର୍ଘଟଣାରେ ହରାଇ ଜୀବନ ଜିଇଁବା ଭୂଲିଯାଇଥିଲେ ସେ । ପରିବାର ଏବଂ ନିଜ ଭବିଷ୍ୟତର ସାଥୀଙ୍କୁ ହରାଇ ହାର୍ ମାନିନେଇଥିଲେ । ୨ବର୍ଷ ପରେ ପୁଣି ସଳଖି ଠିଆ ହେବାକୁ ଚେଷ୍ଟା କରିଛନ୍ତି ସେ । ତାଙ୍କ ଦୁର୍ଦ୍ଦଶା, ତାଙ୍‌କ ହତାଶାକୁ ଜାଣି ଜଣେ ସହୃଦୟ ତାଙ୍କୁ ଦେଇଛନ୍ତି ସହାୟତା ଓ ଜୀବନ ସାଥୀ ହେବାର ହାତ । ଶନିବାର ଶ୍ରୁତି ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଗୁରୁବାୟୁର ଶ୍ରୀ କ୍ରୀଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସେ । ଶନିବାର ସକାଳୁ ମାନ୍ଥାଭାଡିର ସନ୍ଦୀପ ଶ୍ରୁତିଙ୍କ ହାତ ଧରିଛନ୍ତି । ସମ୍ପର୍କୀୟ, ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି । ଭୂ-ସ୍ଖଳନ ସମୟରେ ପୁନର୍ବାସ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିଥିବା ସିପିଆଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କେ.ରାଜନ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୁତି ବେଶ ଖୁସି ଥିବା କହିଛନ୍ତି । ତାଙ୍କ ଜୀବନ ବିଷୟରେ ସବୁ ଜାଣି ତାଙ୍କୁ ଗ୍ରହଣ କରିବାକୁ ଆଗେଇ ଆସିଥିବା ସ୍ୱାମୀ ସନ୍ଦୀପଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସହ ସାରା ଜୀବନ ସୁଖମୟ ଜୀବନ ବିତାଇବାକୁ ପ୍ରାର୍ଥନା କରୁଛନ୍ତି ବୋଲି ସେ କହିଛନ୍ତି । କୋଝିକୋଡି ଜିଲ୍ଲାର ଏକ ହସ୍ପିଟାଲରେ ଆକାଉଂଟାଂଟ ଭାବେ କାମ କରୁଛନ୍ତି ୨୪ ବର୍ଷୀୟ ଶ୍ରୁତି । ସ୍ୱାମୀ ସନ୍ଦୀପ ୱାୟାନାଡ କଲେକ୍ଟରେଟ୍‌ରେ ସରକାରୀ କର୍ମଚାରୀ ଭାବେ କାମ କରୁଛନ୍ତି ।

୩୦ ଜୁଲାଇ ୨୦୨୪ରେ ଚୋରାଲମାଲା ଓ ମୁନ୍ଦକାଇ ଗାଁରେ ଭୟଙ୍କର ଭୂସ୍ଖଳନ ତାଙ୍କ ପରିବାରକୁ ମାଟିରେ ମିଶେଇ ଦେଲା । ବାପା ମା ସାନ ଭଉଣୀଙ୍କ ସମେତ ୯ଜଣଙ୍କ ପ୍ରାଣ ଚାଲିଗଲା । ସେହି ବର୍ଷ ଜୁନରେ ଜେନସନଙ୍କ ସହ ନିର୍ବନ୍ଧ ହୋଇଥିଲା । ପରେ ପରେ ସେପଟେମ୍ବରରେ ଏକ ସଡକ ଦୁର୍ଘଟଣାରେ ତାଙ୍କୁ ମଧ୍ୟ ହରାଇଦେଇ ଏକା ହୋଇଯାଇଥିଲେ ଶ୍ରୁତି । ବିପର୍ଯ୍ୟୟରେ ତାଙ୍କର ନୂଆ ଘର ହରାଇବା ସହ ବିବାହ ପାଇଁ ସଂଚିତ ୧୫ ଲକ୍ଷର ସୁନା ହରାଇଥିଲେ । ସେହି କଠିନ ସମୟରେ କେବଳ ଜେନସନ ହିଁ ତାଙ୍କର ଏକମାତ୍ରା ସାହାରା ଥିଲେ । ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ୨୦୨୪ ଜୁନ୍ ୨ରେ ନିର୍ବନ୍ଧ ହୋଇଥିଲା । ତାପରେ ପରିବାରକୁ ହରାଇବାର ଦୁଃଖ ଜେନସନଙ୍କ ସହ ବାଂଟିଥିଲେ । ପରିବାର ଲୋକଙ୍କ କବର ପାଖରେ ଦୁହେଁ ପରସ୍ପର ପ୍ରତି ନିଜ ପ୍ରତିବଦ୍ଧତାକୁ ପୁଣି ଦୃଢ କରିଥିଲେ । ପ୍ରଥମେ ଡିସେମ୍ବର ମାସରେ ବିବାହ କରିବାର ଥିଲା । ସେପଟେମ୍ବରରେ ସାଧାରଣ ବିବାହ କରିବାକୁ ସ୍ଥିର କରିଥିଲେ । ହେଲେ ସେପଟେମ୍ବର ୧୦ରେ ଦୁର୍ଘଟଣାରେ ଜେନସନଙ୍କ ଜୀବନ ଚାଲିଗଲା । ଦୁର୍ଘଟଣାରେ ଶ୍ରୁତି ଏବଂ ଜେନସନଙ୍କ ପରିବାରର କିଛି ସଦସ୍ୟ ଆହତ ମଧ୍ୟ ହୋଇଥିଲେ । ତାଙ୍କ ଦୁର୍ଦ୍ଦଶାକୁ ବିଚାରକୁ ନେଇ ସରକାର ତାଙ୍କୁ ରାଜସ୍ୱ ବିଭାଗରେ କିରାଣି ଭାବେ ନିଯୁକ୍ତି ଦେଇଥିଲେ ।

Leave A Reply

Your email address will not be published.