Latest Odisha News

BREAKING NEWS

Diwali Celebrations: ବଡବଡୁଆ ଡାକ, କାଳୀପୂଜା, ନରକାସୁର ବଦ୍ଧ…ଝଲକୁଛି ‘ବିଭିନ୍ନତା ଭିତରେ ଏକତା’ର ଅନନ୍ୟ ଚିତ୍ର, ଜାଣନ୍ତୁ ଦେଶର ବିଭିନ୍ନ ସ୍ଥାନରେ କେମିତି ପାଳନ୍ତି ଦୀପାବଳି?

ନୂଆଦିଲ୍ଲୀ: ଭାରତ ଏମିତି ଏକ ଦେଶ, ଯେଉଁଠି ସ୍ଥାନ ବଦଳିଲେ ଭାଷା ବଦଳେ, ପୋଷାକ ବଦଳେ, ପୂଜାପାଠର ରୀତି ବଦଳେ; ହେଲେ ପର୍ବପର୍ବାଣୀର ଖୁସି ଓ ଉତ୍ସବର ଉତ୍ସାହ ସବୁଠି ପ୍ରାୟ ସମାନ। ଦୀପାଳବି ଆସିଲେ କେଉଁଠି ଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରାଯାଏ, ତ ଆଉ କେଉଁଠି ମା’ କାଳୀଙ୍କ ଆରାଧନାରେ ରାତି ଉଜ୍ଜ୍ୱଳ ହୋଇଉଠେ। କେଉଁଠି ନରକାସୁର ବଧର ସ୍ମୃତି, ତ ଆଉ କେଉଁଠି ମହାବୀରଙ୍କ ନିର୍ବାଣ ଓ ଗୁରୁ ହରଗୋବିନ୍ଦ ସାହିବଙ୍କ ମୁକ୍ତିର ସ୍ମରଣ। ପରମ୍ପରା ଭିନ୍ନ, ଆସ୍ଥା ଭିନ୍ନ; କିନ୍ତୁ ସବୁଠି ରହିଛି ଆଲୋକ, ଆଶା, ମୁକ୍ତି ଓ ମଙ୍ଗଳର ବାର୍ତ୍ତା। ପର୍ବ ଅନେକ, ପରମ୍ପରା ଅନେକ, ହେଲେ ଭାବନା ଗୋଟିଏ… ଏହା ହିଁ ଭାରତର ପ୍ରକୃତ ପରିଚୟ!

ଓଡ଼ିଶାରେ ବଡ଼ବଡ଼ୁଆ ଡାକର ପରମ୍ପରା

ଦୀପାବଳି ଆସିଲେ ଓଡ଼ିଶାର ପ୍ରତ୍ୟେକ ଘରେ ଶୁଭେ ବଡ଼ବଡ଼ୁଆ ଡାକ। ଏହି ଦିନ ପିତୃପୁରୁଷଙ୍କୁ ସ୍ମରଣ କରି ଘରର ମହିଳା ଓ ପୁରୁଷମାନେ ଦୀପ ଜାଳିଥାନ୍ତି। ଘରର ମୁରବି ଓ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ କାଉଁରିଆ କାଠି ଜାଳି ଆକାଶକୁ ଦେଖାଇ ବଡ଼ବଡ଼ୁଆଙ୍କୁ ଆହ୍ୱାନ କରାଯାଏ। ଏହି ସମୟରେ ‘ବଡ଼ବଡ଼ୁଆ ହୋ, ଅନ୍ଧାରେ ଆସ, ଆଲୁଅରେ ଯାଅ…’ ବୋଲି କୁହାଯାଏ। ପିତୃପୁରୁଷଙ୍କ ସ୍ମରଣ, ସେମାନଙ୍କ ଆଶୀର୍ବାଦ କାମନା ଓ ପରିବାରର ମଙ୍ଗଳ ପ୍ରାର୍ଥନା ଏହି ପରମ୍ପରାର ମୁଖ୍ୟ ଭାବନା। ଓଡ଼ିଶାର ଦୀପାବଳିକୁ ଏହି ପରମ୍ପରା ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ଏଥିସହିତ ମା’ କାଳୀଙ୍କ ଆଗମନରେ ଭକ୍ତି ଓ ଶକ୍ତିରେ ଭରିଉଠେ ପରିବେଶ। ମା’ଙ୍କ ଆରାଧନାରେ ମୁଖରିତ ହୁଏ ମନ୍ଦିର ଓ ପୂଜାମଣ୍ଡପ।

ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତ୍ୟାବର୍ତ୍ତନର ଉତ୍ସବ

ରାମାୟଣ ଅନୁସାରେ, ୧୪ ବର୍ଷର ବନବାସ ଶେଷ କରି ପ୍ରଭୁ ଶ୍ରୀରାମ, ମା’ ସୀତା ଓ ଭାଇ ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ପ୍ରିୟ ରାଜକୁମାରଙ୍କୁ ସ୍ୱାଗତ କରିବାକୁ ଅଯୋଧ୍ୟାବାସୀ ଦୀପ ଜାଳି ସମଗ୍ର ନଗରୀକୁ ଆଲୋକିତ କରିଥିଲେ। ଏହି ସ୍ମୃତିରେ ଦୀପାବଳିରେ ଦୀପ ଜାଳିବାର ପରମ୍ପରା ରହିଛି। ଅଯୋଧ୍ୟାରେ ଚଳିତ ବର୍ଷ ମଧ୍ୟ ଦୀପୋତ୍ସବର ଭବ୍ୟ ଆୟୋଜନ ହୋଇଛି। ରାମଙ୍କ ପ୍ରତ୍ୟାବର୍ତ୍ତନର ଏହି ପରମ୍ପରା ଘରକୁ ଫେରିବା, ପ୍ରିୟଜନଙ୍କ ସହ ମିଶିବା ଓ ଖୁସି ବାଣ୍ଟିବାର ବାର୍ତ୍ତା ଦିଏ।

ଜୈନ ଧର୍ମରେ ମହାବୀରଙ୍କ ନିର୍ବାଣ

ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଦୀପାବଳିର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଜୈନ ପରମ୍ପରା ଅନୁସାରେ, ଏହି ସମୟରେ ପାବାପୁରୀଠାରେ ଭଗବାନ ମହାବୀର ନିର୍ବାଣ ପ୍ରାପ୍ତ କରିଥିଲେ। ତାଙ୍କ ଜ୍ଞାନର ଆଲୋକକୁ ସ୍ମରଣ କରି ଦୀପ ଜାଳିବାର ପରମ୍ପରା ରହିଛି। ଏହି ଦିନ ଜୈନ ସମ୍ପ୍ରଦାୟର ଲୋକେ ପୂଜା, ଧ୍ୟାନ, ଧାର୍ମିକ ପାଠ ଓ ଦାନଧର୍ମ କରିଥାନ୍ତି। ଅହିଂସା, ସତ୍ୟ, ସଂଯମ ଓ ଆତ୍ମଶୁଦ୍ଧିର ବାର୍ତ୍ତା ଦିଏ ଏହି ପର୍ବ।

ଶିଖ୍ ସମ୍ପ୍ରଦାୟର ବନ୍ଦୀ ଛୋଡ଼ ଦିବସ

ଦୀପାବଳି ସମୟରେ ଶିଖ୍ ସମ୍ପ୍ରଦାୟ ପାଳନ କରନ୍ତି ‘ବନ୍ଦୀ ଛୋଡ଼ ଦିବସ’। ଏହା ଷଷ୍ଠ ଶିଖ୍ ଗୁରୁ ଗୁରୁ ହରଗୋବିନ୍ଦ ସାହିବଙ୍କ ମୁକ୍ତି ସହ ଜଡ଼ିତ। ପରମ୍ପରା ଅନୁସାରେ, ଗ୍ୱାଲିୟର ଦୁର୍ଗରେ ବନ୍ଦୀ ଥିବା ଗୁରୁ ହରଗୋବିନ୍ଦ ସାହିବ ମୁକ୍ତି ପାଇବା ସମୟରେ ଅନ୍ୟ ବନ୍ଦୀ ରାଜାମାନଙ୍କ ମୁକ୍ତି ପାଇଁ ମଧ୍ୟ ଅନୁରୋଧ କରିଥିଲେ। ତାଙ୍କ ସହ ଅନେକ ରାଜା ମୁକ୍ତି ପାଇଥିବାରୁ ଏହି ଦିନକୁ ବନ୍ଦୀ ଛୋଡ଼ ଦିବସ ଭାବେ ପାଳନ କରାଯାଏ। ଗୁରୁଦ୍ୱାରଗୁଡ଼ିକରେ ପ୍ରାର୍ଥନା, କୀର୍ତ୍ତନ ଓ ସେବା କରାଯାଏ। ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଏହି ଅବସରରେ ସ୍ୱତନ୍ତ୍ର ଆଲୋକସଜ୍ଜା ଦେଖିବାକୁ ମିଳେ।

ପଶ୍ଚିମବଙ୍ଗ ଓ ପୂର୍ବ ଭାରତରେ ମା’ କାଳୀଙ୍କ ଆରାଧନା

ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର କିଛି ଅଞ୍ଚଳରେ ଦୀପାବଳି ରାତିରେ ମା’ କାଳୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଶକ୍ତି, ସାହସ ଓ ଅଶୁଭ ଶକ୍ତିର ବିନାଶର ପ୍ରତୀକ ଭାବେ ମା’ କାଳୀଙ୍କୁ ଆରାଧନା କରାଯାଏ। ମନ୍ଦିର ଓ ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜାର୍ଚ୍ଚନା ହୁଏ। ଅନେକ ସ୍ଥାନରେ ରାତିସାରା ଧାର୍ମିକ ଆୟୋଜନ ଚାଲିଥାଏ।

ଦକ୍ଷିଣ ଭାରତରେ ନରକାସୁର ବଦ୍ଧର ପରମ୍ପରା

ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଦୀପାବଳିର ସମ୍ପର୍କ ନରକାସୁର ବଧର ପୌରାଣିକ କାହାଣୀ ସହ ଜଡ଼ିତ। କଥା ଅନୁସାରେ, ନରକାସୁର ନାମକ ଅତ୍ୟାଚାରୀ ଶାସକଙ୍କ ଅତ୍ୟାଚାରରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବଦ୍ଧ କରିଥିଲେ। କେତେକ ପରମ୍ପରାରେ ଏହି ଯୁଦ୍ଧରେ ସତ୍ୟଭାମାଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ଲୋକେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧନ୍ତି ଏବଂ ଦୀପ ଜାଳି ପର୍ବ ପାଳନ କରନ୍ତି। କେତେକ ସ୍ଥାନରେ ନରକାସୁରର ପ୍ରତୀକାତ୍ମକ ପୁତୁଳା ଦହନ କରାଯାଏ। ଏହା ଅତ୍ୟାଚାରର ଅନ୍ତ ଓ ମୁକ୍ତିର ବାର୍ତ୍ତା ଦିଏ।

ଲକ୍ଷ୍ମୀ-ଗଣେଶ ପୂଜା ଓ ନୂଆ ଆରମ୍ଭ

ଭାରତର ଅନେକ ଅଞ୍ଚଳରେ ଦୀପାବଳି ରାତିରେ ମା’ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ପୂଜା କରାଯାଏ। ମା’ ଲକ୍ଷ୍ମୀଙ୍କୁ ଧନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ଭାବେ ପୂଜା କରାଯାଉଥିବା ବେଳେ ପ୍ରଭୁ ଗଣେଶଙ୍କୁ ଶୁଭାରମ୍ଭ ଓ ବିଘ୍ନବିନାଶକ ଭାବେ ଆରାଧନା କରାଯାଏ। ବ୍ୟବସାୟୀମାନେ ଏହି ଦିନ ନୂଆ ହିସାବ ଖାତା ଆରମ୍ଭ କରିବା ସହ ବ୍ୟବସାୟର ନୂଆ ଶୁଭାରମ୍ଭ କରିଥାନ୍ତି। ଘର ସଫା କରିବା, ଝୋଟି ଓ ରଙ୍ଗୋଲି ପକାଇବା, ଦୀପ ଜାଳିବା ଏବଂ ମିଠା ବାଣ୍ଟିବା ଏହି ପର୍ବର ଅବିଚ୍ଛେଦ୍ୟ ଅଂଶ।

ଦୀପାବଳିର ଏହି ଭିନ୍ନ ଭିନ୍ନ ପରମ୍ପରା ଭାରତର ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରେ। ହେଲେ ସବୁ ପରମ୍ପରାର ମୂଳରେ ରହିଛି ଗୋଟିଏ ସମାନ ବାର୍ତ୍ତା, ଅନ୍ଧକାର ଉପରେ ଆଲୋକର ବିଜୟ, ବନ୍ଧନ ଉପରେ ମୁକ୍ତିର ବିଜୟ, ଭୟ ଉପରେ ସାହସର ବିଜୟ ଏବଂ ନିରାଶା ଉପରେ ଆଶାର ବିଜୟ।

ପର୍ବପର୍ବାଣୀର ଏହି ସମାନ ଝଲକ ହିଁ ଭାରତକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏଠାରେ ଧର୍ମ, ଭାଷା ଓ ପରମ୍ପରା ଭିନ୍ନ ହୋଇପାରେ, କିନ୍ତୁ ଖୁସି ବାଣ୍ଟିବାର ମନୋଭାବ ଏବଂ ପରସ୍ପରର ଆସ୍ଥାକୁ ସମ୍ମାନ ଦେବାର ସଂସ୍କୃତି ଆମକୁ ଏକାଠି ବାନ୍ଧି ରଖିଛି। ସେଥିପାଇଁ ଭାରତ କେବଳ ପର୍ବର ଦେଶ ନୁହେଁ, ବରଂ ବିବିଧତା ଭିତରେ ଏକତାର ଜୀବନ୍ତ ଉଦାହରଣ।

Leave A Reply

Your email address will not be published.