ରାୟଗଡ଼ା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ୨୦୧୦ ମସିହାର ଜଣେ ଆଦିବାସୀ ନେତାଙ୍କ ଅପହରଣ ଓ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ତାଙ୍କ ଜାମିନ ରଦ୍ଦ କରିବା ସହ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଅନୁସାରେ ୨୦୧୦ ମସିହା ଡିସେମ୍ବର ମାସରେ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କ ଅପହରଣ ଓ ହତ୍ୟା ସହ ଏହି ମାମଲା ସମ୍ପୃକ୍ତ । ଏଥିରେ ଏନ୍. ଭାସ୍କର ରାଓଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ଅଭିଯୁକ୍ତ ଅଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ । ମାତ୍ର ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ହାଇକୋର୍ଟଙ୍କ ସେହି ଆଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତମାନଙ୍କୁ ବିନା ସର୍ତ୍ତରେ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଏହି ବଡ଼ ଝଟ୍କା ପରେ ପରେ, ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ମଧ୍ୟ ଏକ ୮୦ କୋଟି ଟଙ୍କାର ଟ୍ରକ୍ ମାଲିକ ସଂଘ ପାଣ୍ଠି ହେରଫେର ମାମଲାରେ ତାଙ୍କ ରାୟଗଡ଼ା ବାସଭବନ ଓ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ଖୋଳତାଡ଼ ଜାରି ରଖିଛି।
