Night temperatures drop:ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ; ଏପଟେ ରାଜ୍ୟର ୬ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ
ଭୁବନେଶ୍ବର: ସବୁଠି ଛୁଇଁଛି ପହିଲି ଶୀତ। ରାଜ୍ୟର ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ସବୁଠି ରାତି ପାରଦ ୨୦ ଡିଗ୍ରୀ ତଳେ ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମରେ ଶୀତ ଅନୁଭୂତ ହୋଇଛି। । କଟକ-ଭୁବନେଶ୍ଵରରେ ବି ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ସେମିଳିଗୁଡ଼ାରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସକୁ ଖସିଛି । ଜି.ଉଦୟଗିରି ୧୨.୪, ଦାରିଙ୍ଗିବାଡ଼ି ୧୪, ଫୁଲବାଣୀ ୧୪.୫, ଝାରସୁଗୁଡ଼ା ୧୪.୫ ଓ ଭବାନୀପାଟଣା ୧४.୬ ଡିଗ୍ରୀ ସେଲସିୟସ ରହିଛି ।
ରାଜ୍ୟର ପ୍ରାୟ ୬ଟି ସ୍ଥାନରେ ସୋମବାର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ଭିତରେ ରହିଥିଲା।ନବରଙ୍ଗପୁରରେ ୧୫, ରାଉରକେଲାରେ ୧୫.୭, ହୀରାକୁଦରେ ୧୬, ସମ୍ବଲପୁରରେ ୧୬.୨, ସୁନ୍ଦରଗଡ଼ର କିରେଇରେ ୧୬.୨, କେନ୍ଦୁଝରରେ ୧୬.୬, ରାୟଗଡ଼ା ୧୬.୬, ଚିପିଲିମା ୧୬.୮ ଡିଗ୍ରୀ ଥିଲା। ଭୁବନେଶ୍ଵର ୧୮.୫, କଟକ ୧୭.୪ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ସ୍ବାଭାବିକରୁ ୩.୨ ଡିଗ୍ରୀ କମ୍ ଥିଲା ରାତିର ତାପମାତ୍ରା।
ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ତ୍ତମାନ ଏଭଳି ପାଗ ପ୍ରାୟ ୭ ଦିନ ଧରି ରହିବ । ସପ୍ତାହେ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଏପଟେ ଆଜି ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଉପରେ ପାଣିପାଗ ବିଭାଗର ନଜର ରହିଛି । ଏହାର ସ୍ଥିତି, ଗତିପଥ ଓ ତୀବ୍ରତା ଅନୁସାରେ ପରବର୍ତ୍ତୀ ଦିନଗୁଡ଼ିକରେ ପୂର୍ବାନୁମାନ ବଦଳିପାରେ । ତେବେ ବର୍ତ୍ତମାନର ଆକଳନରେ ଓଡ଼ିଶା ପାଇଁ ବ୍ୟାପକ ବର୍ଷା କିମ୍ବା ବାତ୍ୟାର କୌଣସି ସ୍ପଷ୍ଟ ସଙ୍କେତ ନାହିଁ ।
