ଭୁବନେଶ୍ୱର: ଶୀତ ଋତୁ ଆଗମନ ସହ ରାଜ୍ୟରେ ଏବେ ଶୀତର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶାରେ ସନ୍ଧ୍ୟା ହେବା ମାତ୍ରେ ଥଣ୍ଡା ପବନ ବହିବା ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟର ଦୁଇଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି । ସେଥିମଧ୍ୟରେ ରହିଛି ଜି. ଉଦୟଗିରି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ କରାଯାଇଛି । ଏହାର ପଛକୁ ନବରଙ୍ଗପୁରରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଏବଂ କୋରାପୁଟରେ ପାରଦ ୧୫ ଡିଗ୍ରୀ ରହିଛି ।
ଏହା ପରକୁ ଭବାନୀପାଟଣାରେ ୧୫.୫ ଡିଗ୍ରୀ, ରାଉରକେଲାରେ ୧୫.୭ ଡିଗ୍ରୀ, ବଲାଙ୍ଗୀରରେ ୧୬ ଡିଗ୍ରୀ ଏବଂ ସୋନପୁରରେ ୧୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
