ରାୟଗଡା: ଆମକୁ ରାସ୍ତା ଦରକାର… ତମେ କରୁନ କି ତାଙ୍କୁ କରିବାକୁ ଦେଉନ, ଆମକୁ ଆନ୍ଧ୍ର ସହ ମିଶେଇ ଦିଅ । … ବର୍ଷ ବର୍ଷର ରାସ୍ତା ତିଆରି ଦାବି ପୂରଣ ନକରିବାରୁ ରାସ୍ତାରେ ଲୋକଙ୍କ ରୋଷ । ରାସ୍ତା ନିର୍ମାଣ ଦାବିରେ ରାଜରାସ୍ତାରେ ବସିଛନ୍ତି ୬ଟି ଗାଁର ଶତାଧିକ ଗ୍ରାମବାସୀ । ଫଳରେ ଆନ୍ଧ୍ର୍ରପ୍ରଦେଶକୁ ଯାତାୟତ ଠପ୍ ହୋଇଯାଇଛି । ରାୟଗଡା ସଦର ବ୍ଲକ୍ କେରେଡା ନିକଟ ରାଂଚି-ବିଜୟୱାଡା ରାସ୍ତାରେ ଧାରଣା ଦେଇଛନ୍ତି ଏମାନେ । କେବଳ ରାସ୍ତା ନୁହେଁ ଅନ୍ୟାନ୍ୟ ମୌଳିକ ସୁବିଧା ଏମାନଙ୍କ ପାଖରେ ଅପହଂଚ । ବାରମ୍ବାର ଏନେଇ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନି । ବାଧ୍ୟହୋଇ ଶେଷରେ ରାଜରାସ୍ତାରେ ବସିଛନ୍ତି ଆବାଳବୃଦ୍ଧବନିତା । ଆନ୍ଦୋଳନକୁ ନଜରରେ ରଖି ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।
୧୦ ବର୍ଷ ହେବ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଆସୁଛି । ଚଳିତ ବର୍ଷ ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଭାବେ ଜଣାଯାଇଛି । ଆର୍ଡି ବିଭାଗ ପକ୍ଷରୁ ସର୍ଭେ ହୋଇଛି, ହେଲେ କାମ ଆଗଉନି । ଅନ୍ୟପଟେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ରର ପୁଡୁଗୁବଲସାରୁ ଆମ୍ପୁଲୁବଲସା ଯାଏ ୨.୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨ଥର ପାହାଡ କାଟି ପ୍ରକ୍ରିୟା ଆରମ୍ଭ ହେଉଥିଲେ ବି ଓଡିଶା ସରକାର ଓ ପ୍ରଶାସନ ସେମାନଙ୍କ କାମ ବନ୍ଦ କରିଦେଉଛି । ଏବଂ ଆମ ସରକାର ରାସ୍ତା ତିଆରି କରିବ ବୋଲି ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ଲୋକ । ତାପରେ ଯଥା ପୂର୍ବଂ ତଥା ପରଂ । ତୁରନ୍ତ ରାସ୍ତା ନିର୍ମାଣ ନେହେଲେ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଲୋକ । ନଚେତ୍ ଆମକୁ ଆନ୍ଧ୍ର ସହ ମିଶେଇ ଦିଅନ୍ତୁ ବୋଲି କହିଛନ୍ତି । ତେବେ ଏନେଇ ସରକାରୀ କି ସ୍ଥାନୀୟ ପ୍ରଶାସନ ସ୍ତରରୁ କୌଣସି ପ୍ରତିକ୍ରିୟା ମିଲିପାରିନି ।
