ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ। ବିଷାକ୍ତ ଧୂଆଁର ଚାଦରରେ ଘୋଡ଼ାଇ ହୋଇଯାଇଛି ରାଜଧାନୀ। ନଭେମ୍ବର ୧୩ ତାରିଖ ସକାଳ ୯ଟା ୩୦ ସୁଦ୍ଧା ଦିଲ୍ଲୀରେ PM2.5 ସ୍ତର ଘନମିଟର ପ୍ରତି ୨୯୬ ମାଇକ୍ରୋଗ୍ରାମ୍ ରେକର୍ଡ ହୋଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୪ ଘଣ୍ଟିଆ ସୁରକ୍ଷିତ ସୀମା ୧୫ ମାଇକ୍ରୋଗ୍ରାମ୍ ତୁଳନାରେ ପ୍ରାୟ ୨୦ ଗୁଣ ଅଧିକ। ତେବେ ଏହା ଏକ ସମୟର ମାପ ଏବଂ ୨୪ ଘଣ୍ଟିଆ ହାରାହାରି ସୀମାର ତୁଳନା।
ସେହିପରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୪୦୦ ଅତିକ୍ରମ କରି ‘ଅତି ଗମ୍ଭୀର’ ବର୍ଗରେ ପହଞ୍ଚିଛି। କେତେକ ସ୍ଥାନରେ ଏହା ୫୦୦ ନିକଟରେ ରହିଛି।
ତେବେ କହିରଖୁଛୁ, PM2.5 ହେଉଛି ୨.୫ ମାଇକ୍ରୋମିଟର କିମ୍ବା ତାଠାରୁ ଛୋଟ ଧୂଳିକଣା। ଏହା ଏତେ ସୂକ୍ଷ୍ମ ଯେ ନାକ ଓ ଗଳାରେ ଅଟକି ନରହି ଫୁସ୍ଫୁସ୍ର ଗଭୀର ଅଂଶକୁ ପହଞ୍ଚିପାରେ। ଏପରିକି କିଛି କଣିକା ରକ୍ତ ପ୍ରବାହରେ ମଧ୍ୟ ପ୍ରବେଶ କରିପାରେ। ଏହା ଶ୍ୱାସନଳୀରେ ଜ୍ୱଳନ, ଆଜ୍ମା ଓ ଅନ୍ୟ ଶ୍ୱାସଜନିତ ସମସ୍ୟାକୁ ବଢ଼ାଇବା ସହ ହୃଦ୍ରୋଗ, ଫୁସ୍ଫୁସ୍ ରୋଗ, ଷ୍ଟ୍ରୋକ୍ ଏବଂ ଫୁସ୍ଫୁସ୍ କର୍କଟର ଆଶଙ୍କା ବଢ଼ାଇପାରେ। ଦୀର୍ଘଦିନ ଧରି ଏଭଳି ପ୍ରଦୂଷିତ ବାୟୁରେ ରହିବା ଅକାଳ ମୃତ୍ୟୁର ଆଶଙ୍କା ସହ ମଧ୍ୟ ଜଡ଼ିତ ହୋଇପାରେ।
ତେବେ ଦିଲ୍ଲୀର ବାୟୁ କାହିଁକି ଏତେ ପ୍ରଦୂଷିତ? ପଞ୍ଜାବ ଓ ହରିୟାଣାରେ ଫସଲ ଅବଶେଷ ପୋଡ଼ାଯିବାରୁ ବାହାରୁଥିବା ଧୂଆଁ ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ପବନ ସହ ଦିଲ୍ଲୀରେ ପହଞ୍ଚୁଛି। ଏହା ସହ ଭୂପୃଷ୍ଠ ନିକଟରେ ପବନର ବେଗ କମ୍ ରହିବାରୁ ପ୍ରଦୂଷଣକାରୀ କଣିକା ସହଜରେ ଛିଣ୍ଡିପାରୁନାହିଁ। ଏହାଛଡ଼ା ଗାଡ଼ିମୋଟରର ଧୂଆଁ, କଳକାରଖାନାରୁ ନିର୍ଗତ ଧୂଆଁ, ନିର୍ମାଣ କାମର ଧୂଳି ଏବଂ ଆବର୍ଜନା ପୋଡ଼ିବା ମଧ୍ୟ ପ୍ରଦୂଷଣ ବଢ଼ାଉଛି। ଏହି ସବୁ କାରଣ ଓ ଅନୁକୂଳ ନଥିବା ପାଣିପାଗ ମିଶି ରାଜଧାନୀର ବାୟୁକୁ ଆହୁରି ବିଷାକ୍ତ କରିଦେଇଛି। ଯାହା ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି ।
