Latest Odisha News

BREAKING NEWS

ସହିଦଙ୍କୁ ଅସମ୍ମାନ: ବିନା କଫିନ୍‌ରେ ଡମ୍ପରରେ ଅଣାଗଲା ଦୁଇ SPOଙ୍କ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିଷ୍ଟୱାର ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇଜଣ ସ୍ପେଶାଲ ପୋଲିସ ଅଫିସର (SPO)ଙ୍କ ମୃତଦେହକୁ ବିନା କଫିନ୍‌ରେ ଏକ ଡମ୍ପର ଟ୍ରକ୍‌ରେ ସେମାନଙ୍କ ଗାଁକୁ ପଠାଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ନଭେମ୍ବର ୧୪ ତାରିଖରେ ସହିଦ ଯବାନ ବବି ଚାନ୍ଦ ଏବଂ ରଶପାଲ କୁମାରଙ୍କ ମୃତଦେହ କିୟାର (Kiyar) ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଓ ଜନପ୍ରତିନିଧିମାନେ ପୋଲିସ ପ୍ରଶାସନର ଏହି ଅବହେଳାକୁ ଦୃଢ଼ ନିନ୍ଦା କରିଛନ୍ତି।

ସୂଚନା ଅନୁସାରେ କିଷ୍ଟୱାରର ଦାଛନ (Dachhan) ଅଞ୍ଚଳର କିୟାର ଗାଁର ବାସିନ୍ଦା ବାବି ଚାନ୍ଦ (୫୭) ଏବଂ ରଶପାଲ କୁମାର (୪୫) ପାଟ୍ରୋଲିଂ ଡ୍ୟୁଟିରେ ଯାଉଥିବା ବେଳେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇ ପ୍ରାଣ ହରାଇଥିଲେ। ଶୁକ୍ରବାର ଦିନ ସେମାନଙ୍କ ମୃତଦେହକୁ ଆମ୍ବୁଲାନ୍ସ ପରିବର୍ତ୍ତେ ଏକ ଡମ୍ପରରେ ଗାଁକୁ ଅଣାଯାଇଥିଲା ଏବଂ ସେଥିରେ କୌଣସି କଫିନ୍ ନଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାସନ ପକ୍ଷରୁ ମୃତଦେହ ନେବା ପାଇଁ ଷ୍ଟ୍ରେଚର୍ କିମ୍ବା ଧଳା କପଡ଼ା ମଧ୍ୟ ଯୋଗାଇ ଦିଆଯାଇ ନଥିଲା। ସ୍ଥାନୀୟ ଲୋକେ ସେନା ନିକଟରୁ ଷ୍ଟ୍ରେଚର୍ ଆଣିବା ସହ ନିଜେ କପଡ଼ା ଯୋଗାଡ଼ କରିଥିଲେ। ମୃତଦେହ ଗାଁରେ ପହଞ୍ଚିବା ସମୟରେ କୌଣସି ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ନଥିଲେ, ଯାହା ପରିବାର ଓ ଗ୍ରାମବାସୀଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଥିଲା।

ଅନ୍ୟପଟେ କିଷ୍ଟୱାରର ବିଜେପି ବିଧାୟିକା ଶଗୁନ୍ ପରିହାର ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକାରୀମାନଙ୍କୁ କଡ଼ା ଭର୍ତ୍ସନା କରିବା ସହ ଏହାକୁ ସହିଦଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି। ଜାମ୍ମୁ-କାଶ୍ମୀର ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏହି ଘଟଣା ସମ୍ପର୍କରେ ଉପରାଜ୍ୟପାଳ (LG) ମନୋଜ ସିହ୍ନାଙ୍କ ସହ ସିଧାସଳଖ କଥା ହୋଇ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ ଏବଂ ପରବର୍ତ୍ତୀ ସମୟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଉଭୟ ସହିଦଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା।

Leave A Reply

Your email address will not be published.