‘ମୁଁ ହୁଏତ ଜୀବିତ ଅବସ୍ଥାରେ ଫେରି ନପାରେ’: ଜରୁରୀକାଳୀନ ଚିକିତ୍ସା ପାଇଁ ପାକିସ୍ତାନର ଶୀର୍ଷ ବିଚାରପତିମାନଙ୍କୁ ଇମ୍ରାନ ଖାନଙ୍କ ଚିଠି
ଲାହୋର: ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (PTI) ମୁଖ୍ୟ ଇମ୍ରାନ ଖାନ ଦେଶର ଶୀର୍ଷ ବିଚାରପତିମାନଙ୍କୁ ଚିଠି ଲେଖି ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ସେ ଏହି ଚିଠିରେ ଦର୍ଶାଇଛନ୍ତି ଯେ ଦୀର୍ଘ ଦିନର ଏକା ଜେଲ୍ ରେ ରହିବା ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ବିଗିଡ଼ିଯାଇଛି। ଅତ୍ୟଧିକ ରକ୍ତଚାପ ବୃଦ୍ଧି ପାଇବା କାରଣରୁ ତାଙ୍କର ବ୍ରେନ୍ ହେମୋରେଜ୍ କିମ୍ବା ହୃଦଘାତ ହେବାର ଆଶଙ୍କା ରହିଛି। ଏପରିକି ସେ “ଜୀବିତ ଅବସ୍ଥାରେ ଜେଲରୁ ବାହାରକୁ ଫେରିବେ ନାହିଁ” ବୋଲି ମଧ୍ୟ ଆଶଙ୍କା ପ୍ରକଟ କରିଛନ୍ତି।
ଏହି ଚିଠିରେ ଇମ୍ରାନ ଖାନ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ତାଙ୍କର ଗୁରୁତର ଆଖି ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଉଭୟଙ୍କ ପାଇଁ ତୁରନ୍ତ ବ୍ୟକ୍ତିଗତ ଡାକ୍ତରଙ୍କ ଦ୍ୱାରା ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ଜେଲ ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରୁନଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ନିଜ ବିରୋଧରେ ଥିବା ସମସ୍ତ ମିଥ୍ୟା ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ହେବାକୁ ହେଲେ ପ୍ରଥମେ ଜୀବିତ ରହିବା ଆବଶ୍ୟକ ବୋଲି ଦର୍ଶାଇ ସେ ମାନବିକତା ଦୃଷ୍ଟିରୁ ତୁରନ୍ତ ନ୍ୟାୟ ଓ ଚିକିତ୍ସା ପ୍ରଦାନ କରିବାକୁ ଦେଶର ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରିଛନ୍ତି।
