ଗୁଆହାଟୀ: ମଙ୍ଗଳବାର ଦିନ ମେଘାଳୟସ୍ଥିତ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସୀମା ସୁରକ୍ଷା ବଳର ଜଣେ ସଶସ୍ତ୍ର ଯବାନ ଭୁଲବଶତଃ ବାଂଲାଦେଶ ସୀମା ଭିତରକୁ ପ୍ରବେଶ କରିବାରୁ ବର୍ଡର ଗାର୍ଡ ବାଂଲାଦେଶ ତାଙ୍କୁ ଅଟକ ରଖିଥିଲା। ମେଘାଳୟର ତାରବାଡ଼ ନଥିବା ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଯବାନ ଜଣକ ଅଜାଣତରେ ବାଂଲାଦେଶର ସିଲହଟ ଜିଲ୍ଲା ଅନ୍ତର୍ଗତ ଅଞ୍ଚଳକୁ ଚାଲିଯାଇଥିଲେ।
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯବାନ ଜଣକ ଇନସାସ୍ ରାଇଫଲ ଓ ୱାକି-ଟକି ଧରିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନୀୟ ବାଂଲାଦେଶୀ ନାଗରିକ ତାଙ୍କୁ ଘେରି ରହି ଦୁର୍ବ୍ୟବହାର କରୁଥିବା ବେଳେ, ଯବାନ ଜଣକ ନିଜ ୱାକି-ଟକି ମାଧ୍ୟମରେ ତୁରନ୍ତ ‘କ୍ୱିକ୍ ରେସପନ୍ସ ଟିମ୍’ ପଠାଇବାକୁ ବାର୍ତ୍ତା ଦେଉଥିବା ଶୁଣିବାକୁ ମିଳିଥିଲା। ପରେ ବିଜିବି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜଣେ ସ୍ଥାନୀୟ ଲୋକଙ୍କ ବାଇକରେ ବସାଇ ଯବାନଙ୍କୁ ବିଛାନାକାନ୍ଦି ବର୍ଡର ଆଉଟପୋଷ୍ଟ କ୍ୟାମ୍ପକୁ ନେଇଯାଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିଏସଏଫ୍ ଅଧିକାରୀମାନେ ତୁରନ୍ତ ବିଜିବି ସହ ଯୋଗାଯୋଗ କରିଥିଲେ। ଯବାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଦୁଇ ଦେଶର ସୀମା ସୁରକ୍ଷା ବଳ ମଧ୍ୟରେ ତୁରନ୍ତ ଏକ ‘ଫ୍ଲାଗ୍ ମିଟିଂ’ ଅନୁଷ୍ଠିତ ହୋଇଥିଲା। ସଫଳ ଆଲୋଚନା ପରେ ବିଜିବି ପକ୍ଷରୁ ସମ୍ପୃକ୍ତ ବିଏସଏଫ୍ ଯବାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ଭାରତର ପୂର୍ବ ଭାଗରେ ଥିବା ୪,୦୯୬ କିଲୋମିଟର ଲମ୍ବା ଭାରତ-ବାଂଲାଦେଶ ସୀମାର ସୁରକ୍ଷା ଦାୟିତ୍ୱ ବିଏସଏଫ୍ ହାତରେ ରହିଛି।
