ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ଆଲର୍ଟ: ପ୍ରଖର ସ୍ରୋତ ରାସ୍ତାରେ ଯାନ ଚଳାଚଳ ଉପରେ କଟକଣା
କଟକ: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ (Cyclone Akvan) ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ହାଇ ଆଲର୍ଟ ଜାରି କରାଯିବା ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)କୁ ହାଇ ଆଲର୍ଟରେ ରଖାଯାଇଛି। ଯେଉଁ ସ୍ଥାନରେ ପ୍ରଖର ଜଳ ପ୍ରବାହ କିମ୍ବା କୌଣସି କାରଣରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିବ, ସେଠାରେ ସୁରକ୍ଷା ଦୃଷ୍ଟିରୁ ଯାନବାହନ ଚଳାଚଳ ଉପରେ ତୁରନ୍ତ କଟକଣା ଲାଗୁ କରାଯିବ।
ପରିବହନ କମିଶନର ଅମିତାଭ ଠାକୁର ସମସ୍ତ ଆରଟିଓଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସଡ଼କ ସୁରକ୍ଷା ଓ ଜରୁରୀକାଳୀନ ପଦକ୍ଷେପ ସୁନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆରଟିଓରେ କଣ୍ଟ୍ରୋଲ୍ ରୁମ୍ ସକ୍ରିୟ ରଖିବା ସହ ଜିଲ୍ଲାପାଳ, ପୋଲିସ, ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଅନ୍ୟାନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ପାଣିପାଗ ସୂଚନା ଓ ରାସ୍ତାର ସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକତା ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ।
ଜଳମଗ୍ନ ରାସ୍ତା, ତଳିଆ ପୋଲ, କଲଭର୍ଟ, ଅଣ୍ଡରପାସ୍, ଘାଟି ରାସ୍ତା, ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନର ସ୍ଥିତିକୁ ନିରନ୍ତର ଅନୁଧ୍ୟାନ କରାଯିବ। କୌଣସି ରାସ୍ତା ଅସୁରକ୍ଷିତ ହେଲେ ତୁରନ୍ତ ଯାତାୟାତ ଉପରେ କଟକଣା ଜାରି କରାଯିବ। ସୁରକ୍ଷିତ ବିକଳ୍ପ ମାର୍ଗ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ଯାନବାହନକୁ ସେହି ମାର୍ଗରେ ଡାଇଭର୍ଟ କରାଯିବ। ସମ୍ବେଦନଶୀଳ କରିଡରଗୁଡ଼ିକରେ ପୋଲିସ ଓ ରାଜପଥ ସଂସ୍ଥାଗୁଡ଼ିକ ସହ ସମନ୍ୱୟରେ ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି କରାଯିବ। ରାସ୍ତା, ପୋଲ କିମ୍ବା କଲଭର୍ଟର ସ୍ଥିତି ଅସୁରକ୍ଷିତ ହେଲେ ଯାତାୟାତ ପୁନର୍ବାର ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ପୋଲିସ ପକ୍ଷରୁ ସୁରକ୍ଷା ସୁନିଶ୍ଚିତ କରାଯିବ।
ଜାତୀୟ ରାଜପଥର ସମ୍ବେଦନଶୀଳ ସ୍ଥାନଗୁଡ଼ିକ ନିକଟରେ କ୍ରେନ୍ ଓ ରିକଭରୀ ଯାନ ପ୍ରସ୍ତୁତ ରଖାଯିବ। ଆବଶ୍ୟକ ସ୍ଥଳେ ତୁରନ୍ତ ସହାୟତା ପାଇଁ ଅଗ୍ନିଶମ ସେବା, ଚିକିତ୍ସା ସେବା, NHAI, ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥା ସହ ସମନ୍ୱୟ ରକ୍ଷା କରାଯିବ। ଟୋଲ୍ ପ୍ଲାଜାଗୁଡ଼ିକରେ ମଧ୍ୟ ଚାଳକ ଓ ଯାତ୍ରୀମାନଙ୍କୁ ସତର୍କତାମୂଳକ ସୂଚନା ପ୍ରଦାନ କରାଯିବ। ବର୍ଷା ସମୟରେ, ବିଶେଷକରି ରାତିରେ, ଚାଳକମାନଙ୍କୁ ସୁରକ୍ଷିତ ବେଗରେ ଯାନ ଚଳାଇବା, ଅନ୍ୟ ଗାଡ଼ି ଠାରୁ ନିରାପଦ ଦୂରତା ବଜାୟ ରଖିବା ଏବଂ ବିପଦପୂର୍ଣ୍ଣ ଓଭରଟେକିଂରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି।
ରାସ୍ତା ବନ୍ଦ, ଡାଇଭର୍ସନ, ସୁରକ୍ଷିତ ରହଣି ସ୍ଥଳ ଓ ଯାତାୟାତ କଟକଣା ସମ୍ପର୍କିତ ରୁଟ୍ଭିତ୍ତିକ ସୂଚନା RTOଗୁଡ଼ିକ ପରିବହନ ସଂଘ, ବସ୍ ମାଲିକ, ମାଲ ପରିବହନକାରୀ, ଟ୍ୟାକ୍ସି ଓ ଅଟୋ ସଂଘ, ସ୍କୁଲ୍ ପରିବହନ ପରିଚାଳକ, ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଦାନ କରିବେ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ସଡ଼କ ବ୍ୟବହାରକାରୀଙ୍କୁ ପ୍ରବଳ ବର୍ଷା ସମୟରେ ସତର୍କ ରହିବା, ପ୍ରଶାସନର ନିର୍ଦ୍ଦେଶ ଓ ଯାତାୟାତ କଟକଣା ପାଳନ କରିବା ଏବଂ ବିପଦପୂର୍ଣ୍ଣ ରାସ୍ତାରେ ଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି।
