ରାୟଗଡା: ଦିନ ଥିଲା ମାଓବାଦୀଙ୍କ ଭୟରେ ଥରହର ହେଉଥିଲା ରାୟଗଡାର ଉପାନ୍ତ ଦେବଝୋଲା ଗାଁ । ବେଡି ଉପରେ କୋରଡା ସାଜିଥିଲା ଦୁର୍ଗମ ଭୌଗଳିକ ସ୍ଥିତି । ଫଳରେ ସରକାରୀ ସୁବିଧା ସୁଯୋଗ ଏଠି ଥିଲା ଅପହଂଚ । ଏବେ କିନ୍ତୁ ସ୍ଥିତିରେ ସୁଧାର ଆସିଛି । ମାଓମୁକ୍ତ ହୋଇଛି ପୁରା ଅଂଚଳ । ତଥାପି ବିକାଶର ସ୍ପର୍ଶ ପହଂଚିପାରିନି ଦେବଝୋଲାର ୪୯ ପରିବାର ପାଖରେ । ଜଙ୍ଗଲ ଜମିରେ ଚାଷ କରି ଗୁଜୁରାଣ ମେଂଟାନ୍ତି ଏମାନେ । ହେଲେ ଜମି ପଟ୍ଟା ପାଇନାହାନ୍ତି ଅବହେଳିତ ପରିବାର । ଶିକ୍ଷା କଥା ନକହିବା ଭଲ । ୨୦୦୮ରୁ ଗାଁରେ ପ୍ରାଥମିକ ବିଦ୍ୟାଳୟ ଅଛି, ହେଲେ ଶିକ୍ଷକଙ୍କ ନିୟମିତ ଉପସ୍ଥିତି ନଥିବା ଅଭିଯୋଗ କରିଛନ୍ତି ଲୋକ । ପ୍ରାୟ ୫୦ ଶିଶୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରୁ ବଂଚିତ ହେଉଛନ୍ତି । ପାଠପଢା ଛାଡି ଘର କାମ, ଛେଳି ଚରାଇବାରେ ଲାଗିଛନ୍ତି । ସ୍ୱାସ୍ଥ୍ୟସେବା ଅଭାବରୁ ଗୁଣିଆ ଦିଶାରୀ ଓ ଚେରେମୂଳୀ ଚିକିତ୍ସା ଏଠି ସବୁଦିନିଆ ।
ଆଉ ରହିଲା ରାସ୍ତା କଥା , ଗାଁକୁ ପହଂଚିବାକୁ ହେଲେ ଲେକୋପୁଟ ପରେ ୪କିଲୋମିଟର ପାହାଡିଆ ଓ ପଥୁରିଆ ରାସ୍ତା ଚାଲି ଚାଲି ଅତିକ୍ରମ ପରିବାକୁ ପଡେ । ରାୟଗଡା ପଟୁ ଯାତାୟତ ଭାରି କଷ୍ଟକର, ସେଥିପାଇଁ ପଡୋଶୀ କାର୍ଲି ଗାଁ ରାସ୍ତା ଭରସା । ସେଠାରେ ମଧ୍ୟ ପହଂଚିବାକୁ ୨କିଲୋମିଟର ପାହାଡ ଅତିକ୍ରମ କରିବାକୁ ପଡୁଛି । ଫଳରେ ରୋଗୀଙ୍କୁ ନେବାକୁ ହେଲେ ଭାର କିମ୍ବା ଖଟିଆ ଖୋଜାପଡେ । ପାନୀୟ ଜଳ ସମସ୍ୟା ଏଠାରେ ୧୨ ମାସ । ୨ଟି ନଳକୂପ ଅଛି, ହେଲେ ଖରା ଦିନେ ପାଣି ବାହାରୁନି ଅନ୍ୟଦିନେ ନାଳ ଉପରେ ନିର୍ଭର କରୁଛନ୍ତି ଲୋକ । ନାଳ ଶୁଖିଗଲେ ହାହାକର ସ୍ଥିତି । ବିଦ୍ୟୁତ୍ ସଂଯୋଗ ନଥିବାରୁ ସୋଲାର ଉପରେ ଭରସା କରୁଛନ୍ତି ,ହେଲେ କେବେକେବେ ସେ ବି ଅଚଳ ହୋଇପଡୁଛି । ମନରେଗୋରେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେବଝୋଲାରୁ କୁଟୁଳି ରାସ୍ତା ପାଇଁ ୫ଲକ୍ଷ ଟଙ୍କା ବ୍ୟୟ ହେଉଥିବା ଫଳକରେ ଲାଗିଛି, ହେଲେ ବାସ୍ତବ ଚିତ୍ର ଭିନ୍ନ । ପଂଚାୟତ ସମିତି ବୈଠକରେ ଆରଡି ରାସ୍ତା ନିର୍ମାଣ ପାଇଁ କେବଳ ପ୍ରତିଶ୍ରୁତି ମିଳୁଛି, ଫଳ ଶୂନ୍ । ଲୋକଙ୍କ ଅଭିଯୋଗ, ନିର୍ବାଚନ ଆସିଲେ ଲୋକପ୍ରତିନିଧିଙ୍କ ଦେଖା ମିଳୁଛି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ଯଥା ପୂର୍ବଂ ତଥା ପରଂ । ଦେଖାଯାଉ ଆଦିବାସୀଙ୍କ ଦୁର୍ଦ୍ଦଶା ଆଉ କେତେ ଦିନ?
