Latest Odisha News

BREAKING NEWS

Trump, Putin and Xi: ଗୋଟିଏ ଟେବୁଲ୍‌ରେ ବିଶ୍ୱର ୩ ମହାରଥୀ, ଟ୍ରମ୍ପ-ପୁଟିନ୍-ଜିନପିଙ୍ଗଙ୍କ ବୈଠକ ଉପରେ କାହିଁକି ପୂରା ଦୁନିଆର ନଜର? କାହିଁକି ଚର୍ଚ୍ଚାରେ ୟାଲଟା ୨.୦?

ନୂଆଦିଲ୍ଲୀ: ଗୋଟିଏ ଟେବୁଲ୍‌ରେ ବସିବେ ବିଶ୍ୱର ତିନି ମହାଶକ୍ତିର ମୁଖିଆ। ଗୋଟିଏ ପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆଉ ଗୋଟିଏ ପଟେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ତୃତୀୟରେ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ। ଚୀନ୍‌ର ଶେନଜେନ୍‌ରେ ଆଜି ନଭେମ୍ବର ୧୯ ତାରିଖରେ APEC ଶିଖର ସମ୍ମିଳନୀ ଅବସରରେ ଏହି ତିନି ନେତାଙ୍କ ଐତିହାସିକ ତ୍ରିପାକ୍ଷିକ ବୈଠକ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଏହି ତିନି ରାଷ୍ଟ୍ରମୁଖ୍ୟ ଏଭଳି ଏକ ତ୍ରିପାକ୍ଷିକ ଆଲୋଚନାରେ ଏକାଠି ହେଉଥିବାରୁ ସାରା ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି। ଏହାକୁ ନେଇ ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏପରିକି ୧୯୪୫ର ୟାଲଟା ସମ୍ମିଳନୀ ସହ ଏହାକୁ ତୁଳନା କରାଯାଉଛି।

କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଏହି ବୈଠକ?

ବର୍ତ୍ତମାନ ବିଶ୍ୱ ରାଜନୀତି ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ଇରାନକୁ ନେଇ ଆମେରିକାର ଯୁଦ୍ଧ ପରିସ୍ଥିତି, ଅନ୍ୟପଟେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ। ଏହା ସହ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟିକ ତିକ୍ତତା, ଶୁଳ୍କ ଏବଂ ଟେକ୍ନୋଲୋଜିକୁ ନେଇ ପ୍ରତିଯୋଗିତା ଜାରି ରହିଛି। ଏଭଳି ସ୍ଥିତିରେ ତିନି ମହାଶକ୍ତିର ନେତା ଏକାଠି ବସିବା ବିଶ୍ୱ ଶାନ୍ତି ଓ ରଣନୈତିକ ସ୍ଥିରତା ପାଇଁ କେତେ ଫଳପ୍ରଦ ହେବ, ତାହା ଉପରେ ସମସ୍ତଙ୍କ ନଜର।

କ’ଣ ରହିଛି ବୈଠକର ଏଜେଣ୍ଡା?

୧. ପରମାଣୁ ଅସ୍ତ୍ର ନିୟନ୍ତ୍ରଣ: ଏହି ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପରମାଣୁ ଅସ୍ତ୍ର। ବିଶ୍ୱର ଅଧିକାଂଶ ପରମାଣୁ ଅସ୍ତ୍ର ଏହି ତିନି ଦେଶ ପାଖରେ ରହିଛି। ତେଣୁ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ରୋକିବା ଏବଂ ଏକ ନୂଆ ତ୍ରିପାକ୍ଷିକ ଢାଞ୍ଚା ଗଠନ ନେଇ ପ୍ରାରମ୍ଭିକ ଆଲୋଚନା ହୋଇପାରେ। ଆମେରିକା ଛାଡ଼ିବା ପୂର୍ବରୁ ଟ୍ରମ୍ପ ମଧ୍ୟ ପରମାଣୁ ନିରସ୍ତ୍ରୀକରଣ ଉପରେ ଆଲୋଚନା କରିବା କଥା କହିଥିଲେ।

୨. ଇରାନ ଓ ୟୁକ୍ରେନ୍ ଯୁଦ୍ଧ: ଇରାନ ସହ ଆମେରିକାର ଉତ୍ତେଜନା ଏବଂ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ। ଟ୍ରମ୍ପ ଇରାନ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିବାବେଳେ ୟୁକ୍ରେନ୍ ପ୍ରସଙ୍ଗ ଉପରେ ମଧ୍ୟ ପୁଟିନ୍‌ଙ୍କ ସହ ଆଲୋଚନାର ସମ୍ଭାବନା ରହିଛି। ତେବେ ୟୁକ୍ରେନ୍ ପ୍ରସଙ୍ଗ ଔପଚାରିକ ଏଜେଣ୍ଡାରେ ରହିବା ନେଇ ସ୍ପଷ୍ଟତା ନାହିଁ।

୩. ବାଣିଜ୍ୟ ଓ ଟେକ୍ନୋଲୋଜି: ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ଅଲଗା ଦ୍ୱିପାକ୍ଷିକ ବୈଠକରେ ରେୟାର ଆର୍ଥ ମିନେରାଲ୍ସ, ଏଆଇ, ଉନ୍ନତ ସେମିକଣ୍ଡକ୍ଟର ଚିପ୍ସ ଏବଂ ଆମେରିକାର ରପ୍ତାନି କଟକଣା ଭଳି ପ୍ରସଙ୍ଗ ଉଠିପାରେ। ଆମେରିକାର ଶୁଳ୍କ ନୀତି ଓ ଚୀନ୍‌ର ଖଣିଜ ରପ୍ତାନି ନିୟନ୍ତ୍ରଣକୁ ନେଇ ରହିଥିବା ମତଭେଦ ହ୍ରାସ କରିବା ମଧ୍ୟ ଆଲୋଚନାର ଅଂଶ ହୋଇପାରେ।

କାହିଁକି କୁହାଯାଉଛି ୟାଲଟା ୨.୦?

ଏହି ବୈଠକକୁ ୧୯୪୫ର ୟାଲଟା ସମ୍ମିଳନୀ ସହ ତୁଳନା କରାଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଫେବ୍ରୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ କ୍ରିମିଆର ୟାଲଟାରେ ଏକାଠି ହୋଇଥିଲେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜଭେଲ୍ଟ, ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ୍ ଏବଂ ସୋଭିଏତ୍ ସଂଘର ନେତା ଜୋସେଫ୍ ଷ୍ଟାଲିନ୍। ଏହି ତିନି ନେତାଙ୍କୁ ସେତେବେଳେ ‘ବିଗ୍ ଥ୍ରୀ’ କୁହାଯାଉଥିଲା।

ସେହି ବୈଠକରେ ଯୁଦ୍ଧ ପରବର୍ତ୍ତୀ ଜର୍ମାନୀ ଓ ବର୍ଲିନ୍‌ର ବିଭାଜନ, ୟୁରୋପରେ ପ୍ରଭାବ କ୍ଷେତ୍ର ଏବଂ ମିଳିତ ଜାତିସଂଘ ଗଠନ ସମ୍ପର୍କିତ ନିଷ୍ପତ୍ତି ଉପରେ ସହମତି ହୋଇଥିଲା। ଏବେ ପୁଣି ତିନି ବିଶ୍ୱ ଶକ୍ତିର ନେତା ଏକାଠି ହେଉଥିବାରୁ ଏହାକୁ ‘ୟାଲଟା ୨.୦’ କୁହାଯାଉଛି। ତେବେ ଏହା ପ୍ରକୃତ ୟାଲଟା ଭଳି ବିଶ୍ୱର ନୂଆ ନକ୍ସା ତିଆରି କରିବା ଭଳି ବୈଠକ ହେବ ବୋଲି ଏବେଠାରୁ କହିହେବ ନାହିଁ।

ଅପରପକ୍ଷେ ଏହି ବୈଠକରେ ପୁଟିନ୍‌ଙ୍କ ଉପସ୍ଥିତି ମଧ୍ୟ ବିଶେଷ ଗୁରୁତ୍ୱ ରଖୁଛି। ୟୁକ୍ରେନ୍ ଯୁଦ୍ଧ ପରେ ପଶ୍ଚିମ ଦେଶଗୁଡ଼ିକ ରୁଷିଆକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିକିଆ କରିବାକୁ ଚେଷ୍ଟା କରୁଥିବାବେଳେ ଆମେରିକା ଓ ଚୀନ୍‌ର ରାଷ୍ଟ୍ରମୁଖ୍ୟଙ୍କ ସହ ଏକ ମଞ୍ଚରେ ବସିବା ପୁଟିନ୍‌ଙ୍କ ପାଇଁ ଏକ ବଡ଼ କୂଟନୈତିକ ସୁଯୋଗ। ଅନ୍ୟପଟେ ୟୁକ୍ରେନ୍ ଓ ଏହାର ୟୁରୋପୀୟ ସହଯୋଗୀଙ୍କ ଚିନ୍ତା ହେଉଛି, କାଳେ ଆମେରିକା ଓ ରୁଷିଆ ମିଶି ୟୁକ୍ରେନ୍‌ର ଭବିଷ୍ୟତକୁ ନେଇ କୌଣସି ନିଷ୍ପତ୍ତି ନେବେ ଏବଂ ସେଥିରେ ୟୁକ୍ରେନ୍‌ର ମତକୁ ଅଣଦେଖା କରାଯିବ।

ତେବେ ଏହି ବୈଠକରେ କୌଣସି ବଡ଼ ଲିଖିତ ଚୁକ୍ତି କିମ୍ବା ତୁରନ୍ତ ନିଷ୍ପତ୍ତି ଆସିବା ନେଇ ଆଶା କମ୍ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ପ୍ରାୟ ଏକ ଘଣ୍ଟାର ଏହି ଆଲୋଚନାରେ ତିନି ନେତା କେଉଁ ପ୍ରସଙ୍ଗରେ ସହମତ ହେଉଛନ୍ତି ଏବଂ କେଉଁଠି ମତଭେଦ ରହୁଛି, ତାହା ହିଁ ଆଗାମୀ ଦିନର ବିଶ୍ୱ ରାଜନୀତିର ଦିଗ ନିର୍ଦ୍ଧାରଣରେ ଗୁରୁତ୍ୱ ରଖିବ।

Leave A Reply

Your email address will not be published.