ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନଭେମ୍ବର ୧୮ ତାରିଖରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟ (University of Chicago) ଗସ୍ତ କରି ସେଠାକାର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହ ଆଲୋଚନା କରିଛନ୍ତି। ରାଜନୀତି ବିଜ୍ଞାନ ପ୍ରଫେସର ରବର୍ଟ ପେପ୍ (Prof. Robert Pape) ଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସେ ଭାରତର ଗଣତନ୍ତ୍ର, ନିର୍ବାଚନ ପ୍ରକ୍ରିୟା ଏବଂ ବୈଦେଶିକ ନୀତି ଉପରେ ନିଜର ମତ ରଖିଥିଲେ।
ଏହି ସମୟରେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ସତ୍ତ୍ୱେ ବିରୋଧୀ ଦଳ କାହିଁକି ନିର୍ବାଚନ ବର୍ଜନ କରୁନାହାନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଭାରତୀୟ ଗଣତନ୍ତ୍ର ସେମାନଙ୍କ ପାଇଁ ପବିତ୍ର ଏବଂ ନିର୍ବାଚନ ବର୍ଜନ କଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଶେଷ ହୋଇଯିବ। ଭୋଟର ତାଲିକାରେ ଅନିୟମିତତା ନେଇ ସେ ପୁଣିଥରେ ପ୍ରଶ୍ନ ଉଠାଇବା ସହ ନିର୍ବାଚନ ଆୟୋଗଙ୍କ ଭିତରୁ ହିଁ ସେମାନଙ୍କୁ ତଥ୍ୟ ମିଳୁଥିବା ଦାବି କରିଛନ୍ତି।
ସେହିପରି ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାକିସ୍ତାନ ସହିତ ଆଲୋଚନା ପୁନଃ ଆରମ୍ଭ କରିବାର କୌଣସି ସମ୍ଭାବନା ପ୍ରଦାନ କରି ନଥିଲେ। ସେ କହିଥିଲେ ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତ ବିରୁଦ୍ଧରେ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ନ କରେ ସେପର୍ଯ୍ୟନ୍ତ ଆଲୋଚନା ହୋଇପାରିବ ନାହିଁ। ଚିକାଗୋ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ କଥାବାର୍ତ୍ତା କରି ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଜାରି ରହିଥିବା ପର୍ଯ୍ୟନ୍ତ ଆଲୋଚନା ଆଗକୁ ବଢ଼ିପାରିବ ନାହିଁ। ଜଣେ ପାକିସ୍ତାନୀ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିଲେ ଯେ ପାକିସ୍ତାନର ଆତଙ୍କବାଦକୁ ପ୍ରୋତ୍ସାହନ ହିଁ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ସବୁଠାରୁ ବଡ଼ ବାଧା।
ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାରେ ପାକିସ୍ତାନର ଭୂମିକାକୁ ନେଇ ସେ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ ସମାଲୋଚନା କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଭାରତ ଏକ ‘ସାଇଡ୍ ପ୍ଲେୟାର’ ପାଲଟି ଯାଇଥିବା କହିଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଭାରତୀୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଦେଶ ମାଟିରେ ଭାରତର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରୁଥିବା ଏବଂ ପାକିସ୍ତାନକୁ ପ୍ରଶଂସା କରୁଥିବା ଅଭିଯୋଗ କରି ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ଏହି ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ସେ ନଭେମ୍ବର ୧୭ ତାରିଖରେ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।
