ନୂଆଦିଲ୍ଲୀ: ପାକିସ୍ତାନ ସହ ଆଲୋଚନା ପାଇଁ ଭାରତର ଆଭିମୁଖ୍ୟ କ’ଣ ରହିବ? ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପାକିସ୍ତାନ ଯେପର୍ଯ୍ୟନ୍ତ ଭାରତରେ ଆତଙ୍କବାଦକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ବନ୍ଦ କରିନାହିଁ, ସେପର୍ଯ୍ୟନ୍ତ ତା’ ସହ ଆଲୋଚନା ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାହୁଲ। ଏହି ସମୟରେ ଜଣେ ପାକିସ୍ତାନୀ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଆଲୋଚନାର ସୁଯୋଗ ରହିଛି, କିନ୍ତୁ ଏହାର ବଡ଼ ପ୍ରତିବନ୍ଧକ ହେଉଛି ପାକିସ୍ତାନର ଆତଙ୍କବାଦକୁ ସମର୍ଥନ। ନିରୀହ ଭାରତୀୟଙ୍କ ଜୀବନ ଯାଉଥିବା ବେଳେ ଆଲୋଚନା ଜାରି ରଖିବାକୁ ଭାରତ ଗ୍ରହଣ କରିପାରିବ ନାହିଁ। ପାକିସ୍ତାନ ଏହା ବନ୍ଦ କରିବା ମାତ୍ରେ ଆଲୋଚନା ଆରମ୍ଭ ହୋଇପାରିବ ବୋଲି ସେ କହିଥିଲେ।
ଭାରତର ବୈଦେଶିକ ନୀତି ଉପରେ ମତ ରଖି ରାହୁଲ କହିଥିଲେ, ଇସ୍ରାଏଲ ସହ ଭାରତର ରଣନୈତିକ ସମ୍ପର୍କକୁ ସେ ସମର୍ଥନ କରନ୍ତି। ଭାରତୀୟ ସେନା ପାଇଁ ଉତ୍ତମ ଅସ୍ତ୍ରଶସ୍ତ୍ର କିଣିବା ଭଳି ରଣନୈତିକ ସ୍ୱାର୍ଥ ରହିଛି। କିନ୍ତୁ ଏହାର ଅର୍ଥ ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ଉପରେ ନିରବ ରହିବା ନୁହେଁ। ଅକ୍ଟୋବର ୭ର ଆକ୍ରମଣ ଓ ନିରୀହ ଲୋକଙ୍କ ହତ୍ୟାକୁ ସେ ନିନ୍ଦା କରିବା ସହ ଗାଜାରେ ଇସ୍ରାଏଲର କାର୍ଯ୍ୟକୁ ମଧ୍ୟ ନିନ୍ଦା କରିଥିଲେ। ଗୋଟିଏ ଭୁଲ୍କୁ ଆଉ ଗୋଟିଏ ଭୁଲ୍ର ଯଥାର୍ଥତା ଭାବେ ଦେଖାଯାଇପାରିବ ନାହିଁ ବୋଲି ସେ କହିଥିଲେ। ଇସ୍ରାଏଲ, ଆମେରିକା, ରୁଷିଆ କିମ୍ବା ଚୀନ୍ ଭଳି କୌଣସି ଦେଶ ଭାରତର ବିଶ୍ୱସ୍ତରୀୟ ଭୂମିକାକୁ ଅଟକାଇବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି ରାହୁଲ ।
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରସଙ୍ଗରେ ମଧ୍ୟ ଭାରତର ନିଜସ୍ୱ ମତ ରହିବା ଦରକାର ବୋଲି ରାହୁଲ କହିଥିଲେ। ଆମେରିକା ଓ ଇରାନ ସହ ଆଲୋଚନାରେ ପାକିସ୍ତାନ ସକ୍ରିୟ ଥିବା ବେଳେ ଭାରତ କେବଳ ଦେଖଣାହାରୀ ହୋଇ ରହିଥିବା ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସ୍ୱାଧୀନତା ପରଠାରୁ ଭାରତର ବୈଦେଶିକ ନୀତି ନିଜର ଜାତୀୟ ସ୍ୱାର୍ଥ ଆଧାରରେ ନିର୍ଦ୍ଧାରିତ ହୋଇଆସିଥିବା ସେ ମତ ଦେଇଥିଲେ।
ଅନ୍ୟପଟେ ନିର୍ବାଚନୀ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ ଥିଲେ ମଧ୍ୟ ବିରୋଧୀ ଦଳ ନିର୍ବାଚନ ବର୍ଜନ କରିବେ ନାହିଁ ବୋଲି ରାହୁଲ ସ୍ପଷ୍ଟ କରିଥିଲେ। ତାଙ୍କ କହିବା ଅନୁସାରେ, ନିର୍ବାଚନ ବର୍ଜନ କଲେ ଦେଶର ଗଣତନ୍ତ୍ର ଦୁର୍ବଳ ହେବ ଏବଂ ଦଳୀୟ କର୍ମୀମାନେ ରାଜନୈତିକ ପ୍ରତିନିଧିତ୍ୱରୁ ବଞ୍ଚିତ ହେବେ। ତେଣୁ କଂଗ୍ରେସ ନିର୍ବାଚନ ଲଢ଼ିବା ସହ ବ୍ୟବସ୍ଥାରେ ଥିବା ଅଭିଯୋଗିତ ତ୍ରୁଟିଗୁଡ଼ିକୁ ଉଠାଇବା ଜାରି ରଖିବ ବୋଲି ସେ କହିଥିଲେ।
