ଭୁବନେଶ୍ୱର:ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସ ଆସନ୍ତା ୨୩ ନଭେମ୍ବର(ସୋମବାର) ଦିନ ୫ହଜାର ଦଳୀୟ କର୍ମୀଙ୍କ ସହିତ ବିଧାନସଭା ଘେରାଉ କରିବ ବୋଲି ଇଂ ମହମ୍ମଦ ମୋକିମ ଘୋଷଣା କରିଛନ୍ତି । ଏଥିସହ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ଜନସାଧାରଣଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଏହାର ନିୟନ୍ତ୍ରଣ ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଦାବି କରିବ।
ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ କଷ୍ଟକର ହୋଇପଡ଼ିଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟପଦାର୍ଥ, ପନିପରିବା, ରନ୍ଧନ ଗ୍ୟାସ୍ ଆଦିର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଓ ମଧ୍ୟବିତ୍ତ ପରିବାରର ଘରୋଇ ବଜେଟ୍କୁ ସମ୍ପୂର୍ଣ୍ଣ ଧ୍ବସ୍ତ କରିଦେଇଛି । ଏଭଳି ସ୍ଥିତିରେ ଜନସାଧାରଣଙ୍କ ଆର୍ଥିକ ବୋଝ ହ୍ରାସ କରିବା ଦିଗରେ ସରକାରଙ୍କ ଉଦାସୀନତା ଅତ୍ୟନ୍ତ ଚିନ୍ତାଜନକ ବୋଲି ଓଜେସି ସଭାପତି ଇଂ ମହମ୍ମଦ ମୋକିମ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଦରଦାମ୍ ବୃଦ୍ଧିର ଗମ୍ଭୀର ପ୍ରଭାବ ଉପରେ ଆଲୋକପାତ କରିବା ସହ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ପାଇଁ ସେ ସରକାରଙ୍କୁ ଦାୟୀ କରିଥିଲେ ।
ସେ କହିଥିଲେ ଯେ, ରୋଜଗାର ବଢୁନଥିବା ବେଳେ ଖର୍ଚ୍ଚ ଲଗାତାର ଭାବରେ ବଢିଚାଲିଛି । ଏଭଳି ସ୍ଥିତିରେ ଦରଦାମ୍ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ଲୋକଙ୍କ ଜୀବନକୁ ଆହୁରି କଷ୍ଟକର କରିଦେଇଛି । ଏହା କେବଳ ଅର୍ଥନୈତିକ ସମସ୍ୟା ନୁହେଁ, ବରଂ ସାଧାରଣ ଜନତାଙ୍କ ଜୀବନଜୀବିକା ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ। ଯେଉଁ ବିଜେପି ବିରୋଧୀ ଦଳରେ ଥିଲାବେଳେ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ ହ୍ରାସ କରିବା ପାଇଁ ବାରମ୍ବାର ଦାବି କରୁଥିଲା, ଆଜିର ଦିନରେ ସରକାରକୁ ଆସିବାର ଅଢେଇବର୍ଷ ପରେ ମଧ୍ୟ ଏକଟଙ୍କାର ଭ୍ୟାଟ୍ ହ୍ରାସ କଲେନାହିଁ । ମୋହନ ସରକାର ଆସିବାର ଅଢେଇବର୍ଷ ଭିତରେ ବିଜୁଳି ବିଲ୍ ଅତ୍ୟଧିକ ମାତ୍ରାରେ ବୃଦ୍ଧିପାଇବା ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କୁ ଆଘାତ ଦେଇଛି । ପ୍ରତି ବ୍ଲକରେ କୋଲ୍ଡ ଷ୍ଟୋରେଜ୍ ନିର୍ମାଣ କରିବା କଥା କହି ସରକାରକୁ ଆସିଥିବା ବିଜେପି ବିଗତ ଅଢେଇ ବର୍ଷ ଭିତରେ ଗୋଟିଏ କୋଲ୍ଡ ଷ୍ଟୋରେଜ କରିବାକୁ ସକ୍ଷମ ହେଲାନାହିଁ । ରୋଷେଇ ଗ୍ୟାସ୍ ଦର ସିଲିଣ୍ଡର ପିଛା ୧୦୦୦ ଟଙ୍କାରେ ପହଞ୍ଚିଥିବାବେଳେ, ଉଜ୍ଜ୍ଵଳା ଯୋଜନାରେ ଗରିବ ଲୋକଙ୍କୁ ରିହାତି ଦରରେ ବର୍ଷକୁ ୧୨ଟି ଗ୍ୟାସ୍ ଦିଆଯାଉଥିବା ବେଳେ ବର୍ତ୍ତମାନ କମି କମି ୪ଟି ସିଲିଣ୍ଡରରେ ଆସି ପହଞ୍ଚିଲାଣି ।
ମିଡିଆ ସେଲ୍ ଚେୟାରମ୍ୟାନ ପ୍ରଶାନ୍ତ ଶତପଥି କହିଥିଲେ ଯେ, ଓଡ଼ିଶା ଆଜିର ଦିନରେ ସମଗ୍ର ଦେଶରେ ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟ ଏବଂ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ପିତି ୭.୧୭ ପ୍ରତିଶତରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ବହୁତ ଅଧିକ । ଓଡ଼ିଶାରେ ଏଭଳି ମୁଦ୍ରାସ୍ପିତିର ବୃଦ୍ଧି ପାଇଁ ଶକ୍ତିକ୍ଷେତ୍ର ଯଥା ପେଟ୍ରୋଲ ଓ ଡିଜେଲ୍ ଏବଂ ବିଜୁଳି ଦରବୃଦ୍ଧି ସହିତ ଖାଇବା ପଦାର୍ଥର ବିକଟ ଦରବୃଦ୍ଧି ମୁଖ୍ୟତଃ ଦାୟୀ । ଏଭଳି ସ୍ଥିତିରେ ଦରଦାମର ଅହେତୁକ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କର ସଂପୂର୍ଣ୍ଣ ନିରବତା ଏବଂ କୈାଣସି ପ୍ରତିକ୍ରିୟା ପ୍ରକାଶ ନକରିବା ରାଜ୍ୟବାସୀଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଯାହାର ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ ।
ଏହି ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଦଳର ସମସ୍ତ ରାଜ୍ୟ, ଜିଲ୍ଲା ଓ ତୃଣମୂଳସ୍ତରର ପଦାଧିକାରୀ, ଛାତ୍ର, ଯୁବ ଓ ମହିଳା ସଂଗଠନର କର୍ମକର୍ତ୍ତାଙ୍କ ସମେତ ଦଳର ସମସ୍ତ କର୍ମୀ ଓ ସମର୍ଥକ ଯୋଗଦେବେ ବୋଲି ଓଜେସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି, ରାଜ୍ୟ ଉପସଭାପତି ପ୍ରଦୀପ ପ୍ରଧାନ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଉପସ୍ଥିତ ଥିଲେ ।
