ଜୟପୁର: ଶୁକ୍ରବାର ବିଳମ୍ବିତ ରାତିରେ କୋଟା-ଉଦୟପୁର ଜାତୀୟ ରାଜପଥରେ ଏକ ବଡ଼ ଦୁର୍ଘଟଣା ଘଟିଛି ଯେଉଁଥିରେ ଛୁଆଙ୍କ ସମେତ ଗୋଟିଏ ପରିବାରର ନଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ୧୬ ଜଣଙ୍କୁ ନେଇ ଏକ କ୍ରୁଜର ଭ୍ୟାନ୍ ରାଜସ୍ଥାନର ସିକର ଜିଲ୍ଲାର ଖାଟ୍ଟୁ ଶ୍ୟାମ ମନ୍ଦିର ଦର୍ଶନ କରିବାକୁ ଆସିଥିଲା। ଦର୍ଶନ ପରେ ସେମାନେ ମହାରାଷ୍ଟ୍ର ଫେରୁଥିବା ସମୟରେ ନାଟା ଥାନା ଅଞ୍ଚଳର ଶମ୍ଭୁପୁରା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ସେମାନଙ୍କ ଗାଡ଼ି ଧକ୍କା ହୋଇଥିଲା।
ଟ୍ରକ୍ଟିରେ ସମସ୍ୟା ଦେଖାଯିବାରୁ ଡ୍ରାଇଭର ରାସ୍ତା କଡ଼ରେ ପାର୍କିଂ କରିବାକୁ ବାଧ୍ୟ ହୋଇଥିଲେ। ମଧ୍ୟପ୍ରଦେଶର ବାସିନ୍ଦା ମହମ୍ମଦ ହାରୁନ୍ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଏକ ଦ୍ରୁତଗାମୀ କ୍ରୁଜର ଭ୍ୟାନ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା ଏବଂ ପରେ ଟ୍ରକ୍ରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଭ୍ୟାନ୍ରେ ଥିବା ନଅ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରକ୍ ଡ୍ରାଇଭର ସମେତ ଅନ୍ୟ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଏବଂ ଆହତଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଅଧିକ୍ଷକ ତେଜସ୍ୱିନୀ ଗୌତମଙ୍କ ସମେତ ଅନେକ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
