ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ନେଟୱାର୍କର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ୬ଟି ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, STF ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ବିହାରର ମୁଙ୍ଗେର ଜିଲ୍ଲାରୁ ଏହି ଦୁଇ ଜଣଙ୍କୁ କାବୁ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଆକାଶ କୁମାର ସିଂହ (୪୪) ଏବଂ ରାଜେଶ ଶର୍ମା (୪୫)।
STF ଇନ୍ସପେକ୍ଟର ଜେନେରାଲ ହିମାଂଶୁ କୁମାର ଲାଲ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେମାନଙ୍କ ନିକଟରୁ ୭-ଏମଏମ (7-mm) କ୍ଷମତା ବିଶିଷ୍ଟ ଦୁଇଟି ଦେଶୀ ପିସ୍ତଲ ଏବଂ ଚାରୋଟି ସିଙ୍ଗଲ-ଶଟ୍ ପିସ୍ତଲ ଜବତ କରାଯାଇଛି।
ଏହା ବ୍ୟତୀତ ସେମାନଙ୍କ ନିକଟରୁ ୫,୬୦୦ ଟଙ୍କା ନଗଦ, ଦୁଇଟି ମୋବାଇଲ୍ ଫୋନ୍, ଦୁଇଟି ଆଧାର କାର୍ଡ ଏବଂ ଟ୍ରେନ୍ ଟିକେଟ୍ ମଧ୍ୟ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବିହାରର ମୁଙ୍ଗେରରୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବେଆଇନ ଅସ୍ତ୍ରଶସ୍ତ୍ର ଆଣି ଯୋଗାଣ କରୁଥିବା ମାମଲାରେ ଆନ୍ତଃରାଜ୍ୟ ନେଟୱାର୍କ ସମ୍ପୃକ୍ତ ଥାଇପାରେ। ଏହି ଅସ୍ତ୍ରଶସ୍ତ୍ର ଯୋଗାଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ STF ଏହାର ନିର୍ମାତା, ଯୋଗାଣକାରୀ, ମଧ୍ୟସ୍ଥି ଏବଂ ନେଉଥିବା ଲୋକଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦେବ। ଆଗାମୀ ଦିନରେ ଆହୁରି ଗିରଫଦାରୀ ହେବା ସହ ଅଧିକ ଅସ୍ତ୍ରଶସ୍ତ୍ର ଜବତ ହେବାର ସମ୍ଭାବନା ରହିଛି।
ଅପରପକ୍ଷରେ ଏହି ଦୁଇ ଅସ୍ତ୍ରଶସ୍ତ୍ର ଚାଲାଣକାରୀଙ୍କ ବିରୋଧରେ ‘ଆର୍ମସ୍ ଆକ୍ଟ’ ଏବଂ ‘ଭାରତୀୟ ନ୍ୟାୟ ସଂହିତା’ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି।
