ଭୁବନେଶ୍ବର: ରାଜଧାନୀରେ କାଫେ ମାଲିକ ସାବଧାନ। ହୁକା ବାର୍ ନେଇ ଆସିଲା ଡିସିପିଙ୍କ ଚେତାବନୀ। ଏଣିକି କାଫେ ଆଳରେ ହୁକ୍କା ବାର ଚଳାଇଲେ ପଡ଼ିପାରେ ମହଙ୍ଗା। ହୁକ୍କା ବାର ମାଲିକଙ୍କ ବିରୋଧରେ ହେବ ଅପରାଧିକ ମାମଲା। ମୁଖା ବିକିଲେ ଓ ହୁକା ଟାଣିଲେ ଫସିବେ। ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା ପରେ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ। ରାଜଧାନୀର ବିଭିନ୍ନ ପବ୍, ବାର୍ ଓ କ୍ଲବ୍ରେ ଚାଲିଛି ମାରାଥନ୍ ଚଢ଼ାଉ। ବିଶେଷକରି ବେଆଇନ ହୁକ୍କା ବାର୍ ଉପରେ ପୋଲିସର ରହିଛି କଡ଼ା ନଜର।
ବେଆଇନ ଭାବେ ହୁକ୍କା ବାର୍ ଚଳାଇଲେ ମାଲିକଙ୍କ ବିରୋଧରେ କ୍ରିମିନାଲ କେସ୍ ରୁଜୁ ହେବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଶ୍ରବଣ ବିବେକ। ଏଥିସହ ଜରିମାନା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ହୁକାରେ ବ୍ୟବହୃତ ସାମଗ୍ରୀ ବିକ୍ରି ଉପରେ ମଧ୍ୟ ଲାଗିବ ପ୍ରତିବନ୍ଧକ। ହୁକ୍କା ସାମଗ୍ରୀ ବିକ୍ରି ଦୋକାନରେ ହେବ ଚଢାଉ। ବେଆଇନ ହକ୍କା ବାର ଚଳାଇ ଯୁବପିଢି ଏକାଠି ହୋଇ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବାରୁ, ଏଭଳି ପଦକ୍ଷେପ ନେବାକୁ ଯାଉଛି ପୋଲିସ।
ଏନେଇ ଗତକାଲିଠାରୁ ବିଭିନ୍ନ ହୁକ୍କା ବାର ଉପରେ ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ଅନେକ ହୁକ୍କା ବାର କର୍ତ୍ତୃପକ୍ଷଙ୍କୁ ନୋଟିସ କରିଛି ପୋଲିସ। ଆଗକୁ ଏହି ଡ୍ରାଇଭ୍ ଜୋରଦାର ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ। କମିଶନରେଟ୍ ପୋଲିସ ପକ୍ଷରୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍ରେ ରାଜଧାନୀର ବିଭିନ୍ନ କାଫେ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇ ୩୫ରୁ ଅଧିକ ହୁକ୍କା ଜବତ କରାଯାଇଛି । ପ୍ରଥମେ ସମ୍ପୃକ୍ତ କାଫେ ମାଲିକଙ୍କୁ ନୋଟିସ୍ ଜାରି କରାଯିବ। ଏହାପରେ ପିଆର୍ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ପୁଣିଥରେ ବେଆଇନ ହୁକ୍କା ଚାଲୁଥିବା ଧରାପଡ଼ିଲେ କ୍ରିମିନାଲ କେସ୍ ରୁଜୁ ହେବ। ହୁକ୍କା କାଫେ ଉପରେ ନିୟମିତ ଚଢ଼ାଉ ଜାରି ରହିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି ।
