Latest Odisha News

BREAKING NEWS

Union Cabinet Meeting: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମୋଦୀଙ୍କ ବଡ଼ ଚାଲ୍‌! ସଂସଦ ଅଧିବେଶନ ପୂର୍ବରୁ ଆଜି ବସୁଛି କ୍ୟାବିନେଟ୍‌, ୮୫୦ ହେବ ଲୋକସଭା ଆସନ?

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବଡ଼ ରଣନୀତି ପ୍ରସ୍ତୁତିରେ କେନ୍ଦ୍ର ସରକାର। ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ (Delimitation) ସହ ଜଡ଼ିତ ବିଲ୍‌ରେ ସମ୍ଭାବ୍ୟ ସଂଶୋଧନକୁ ନେଇ ଆଜି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ୍‌ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକର ଅଧ୍ୟକ୍ଷତା କରିବେ। ଶୁକ୍ରବାର ଦିନ ୧ଟାରେ ନୂଆଦିଲ୍ଲୀର ସେବା ତୀର୍ଥରେ ଏହି ବୈଠକ ହେବ। ସମସ୍ତ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି।

ଆଜିର କ୍ୟାବିନେଟ୍‌ ବୈଠକରେ ମହିଳା ସଂରକ୍ଷଣ ବିଲ୍‌ରେ ସମ୍ଭାବ୍ୟ ପରିବର୍ତ୍ତନ ଉପରେ ଆଲୋଚନା ହୋଇପାରେ। ଏହି ପ୍ରସ୍ତାବିତ ସାମ୍ବିଧାନିକ ସଂଶୋଧନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବାର ଯୋଜନା ରହିଛି। ଏଥିସହ ଲୋକସଭାର ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ବୃଦ୍ଧି କରି ସର୍ବାଧିକ ୮୫୦ ପର୍ଯ୍ୟନ୍ତ କରିବାକୁ ପ୍ରସ୍ତାବ ରହିଛି। ଜନଗଣନା ତଥ୍ୟ ଆଧାରରେ ନିର୍ବାଚନମଣ୍ଡଳୀର ପୁନଃନିର୍ଦ୍ଧାରଣ ଜରିଆରେ ଏହି ପରିବର୍ତ୍ତନ କରିବାକୁ ସରକାର ଚାହୁଁଛନ୍ତି। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଲାଗୁ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଗତ ଏପ୍ରିଲରେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ସାମ୍ବିଧାନିକ ସଂଶୋଧନ ବିଲ୍‌ ଆବଶ୍ୟକ ସମର୍ଥନ ନ ପାଇବାରୁ ପାରିତ ହୋଇପାରି ନଥିଲା। ଏହାକୁ ପାସ୍‌ କରିବା ପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ବର୍ତ୍ତମାନର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏଥିପାଇଁ ୩୬୧ଟି ଭୋଟ୍‌ ଦରକାର। ତିନୋଟି ଆସନ ଖାଲି ଥିବାରୁ ଗୃହରେ ବର୍ତ୍ତମାନ ୫୪୦ ଜଣ ସଦସ୍ୟ ଅଛନ୍ତି। ଏନ୍‌ଡିଏ ପାଖରେ ପ୍ରାୟ ୩୨୦ ଜଣ ସାଂସଦ ଥିବାରୁ ବିଲ୍‌ ପାସ୍‌ କରିବାକୁ ଆହୁରି ସମର୍ଥନ ଆବଶ୍ୟକ।

ଏପ୍ରିଲରେ ବିଲ୍‌ ପରାଜିତ ହେବା ପରେ ଏନ୍‌ଡିଏର ରାଜନୈତିକ ସ୍ଥିତିରେ କିଛି ପରିବର୍ତ୍ତନ ହୋଇଥିବା ଖବରରେ କୁହାଯାଇଛି। ବିରୋଧୀ ଶିବିରରୁ ୨୬ ଜଣ ସାଂସଦ ଏନ୍‌ଡିଏକୁ ସମର୍ଥନ ଦେବାକୁ ଆଗେଇ ଆସିଥିବା ଦାବି କରାଯାଇଛି। ଏଥିରେ ଟିଏମ୍‌ସିର ୨୦ ଜଣ ବିଦ୍ରୋହୀ ସାଂସଦ ଏନ୍‌ସିପିଆଇ ସହ ମିଶି ଏନ୍‌ଡିଏକୁ ସମର୍ଥନ ଦେଇଥିବା ବେଳେ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିବା କୁହାଯାଇଛି। ତଥାପି ବିଲ୍‌ ପାସ୍‌ ପାଇଁ ଆହୁରି ସମର୍ଥନ ଆବଶ୍ୟକ। ଡିଏମ୍‌କେର ୨୨ ଓ ଶରଦଚନ୍ଦ୍ର ପାୱାରଙ୍କ ଏନ୍‌ସିପିର ୮ ଜଣ ସାଂସଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ଅନ୍ୟପଟେ ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣ ସହ ଯୋଡ଼ିବାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରୁଛନ୍ତି। ବର୍ତ୍ତମାନର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ହିଁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ ସେମାନେ ଦାବି କରୁଛନ୍ତି।

ନଭେମ୍ବର ୩୦ରୁ ଲୋକସଭା ଓ ଡିସେମ୍ବର ୨ରୁ ରାଜ୍ୟସଭାର ବୈଠକ ବସିବାକୁ ଯୋଜନା ରହିଛି। ଡିସେମ୍ବର ୩ରେ ଏହି ବୈଠକ ଶେଷ ହୋଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ଏହା ବର୍ଷାକାଳୀନ ଅଧିବେଶନର ଏକ ଅବ୍ୟାହତ ଅଂଶ ହେବ। ଅଗଷ୍ଟ ୧୩ରେ ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଥିଲେ ମଧ୍ୟ ଅଧିବେଶନର ଆନୁଷ୍ଠାନିକ ସମାପ୍ତି ଘୋଷଣା ହୋଇନଥିଲା।

ଏବେ ସମସ୍ତଙ୍କ ନଜର ଆଜିର କ୍ୟାବିନେଟ୍‌ ବୈଠକ ଓ ଆଗାମୀ ସଂସଦ ଅଧିବେଶନ ଉପରେ। ମହିଳା ସଂରକ୍ଷଣ ବିଲ୍‌ରେ କେଉଁ ପରିବର୍ତ୍ତନ ହେବ ଏବଂ ସରକାର ବିରୋଧୀଙ୍କ ସମର୍ଥନ ଯୋଗାଡ଼ କରିପାରିବେ କି ନାହିଁ, ତାହା ଉପରେ ରହିଛି ନଜର।

Leave A Reply

Your email address will not be published.