ଭୁବନେଶ୍ୱର: ସାରା ବିଶ୍ୱ ଏବେ କରୋନା ଭାଇରସ୍କୁ ନେଇ ଆତଙ୍କିତ । କରୋନା ଭାଇରସ୍ ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
ଏଦିଗରେ ସମସ୍ତେ ସଚେତନ ହେବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ “ଷ୍ଟପ୍ କରୋନା” ଶୀର୍ଷକ ଏକ ମେଗା ରାଲି ଆୟୋଜିତ ହୋଇଯାଇଛି ।
ଚାଇନାରୁ କାୟା ବିସ୍ତାର କରିଥିବା ଏହି ଭୟଙ୍କର ଭାଇରସର କରାଳଛାୟା ଆଜି ସମଗ୍ର ବିଶ୍ୱ ପାଇଁ ଏକ ଭୟଙ୍କର
ରୂପ ଗ୍ରହଣ କରିଛି । ତେଣୁ ଏଥିପାଇଁ ବିଚଳିତ ନ ହୋଇ ସଚେତନତା ମାଧ୍ୟମରେ ଏହି ରୋଗକୁ କିପରି
ପ୍ରତିରୋଧ କରାଯାଇ ପାରିବ ଏହା ହିଁ ଥିଲା ରାଲିର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ରାଲି ସୋମବାର ସକାଳ ୭.୩୦ରୁ ୮ ଘଟିକା
ପର୍ଯ୍ୟନ୍ତ ସମ୍ର ୩୦୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଓ ନର୍ସିଂ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ପ୍ଲାକକାର୍ଡ ଓ ବ୍ୟାନର
ମାଧ୍ୟମରେ ସଚେତନତାର ବାର୍ତା ଦେଇଥିଲେ ।

ଶୃଙ୍ଖଳିତ ଜୀବନଶୈଳୀ ସହିତ ସ୍ୱଚ୍ଛ ଓ ସୁସ୍ଥ ଖାଦ୍ୟପାନୀୟ
ଗ୍ରହଣ କରିବା ପାଇଁ ମଧ୍ୟ ପରାମର୍ଶ ପ୍ରଦାନ କରାଯାଇଥିଲା ।
କୌଣସି ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ସର୍ଦ୍ଦି, କାଶ, ଛିଙ୍କ, ଜ୍ୱର, ଆଦି ଲକ୍ଷଣ
ଦେଖାଗଲେ ମୁହଁରେ ରୂମାଲ୍ ବ୍ୟବହାର କରିବା ସହିତ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ସଂକ୍ରମିତ ରୋଗୀ ଠାରୁ ଦୂରେଇ ରହିବା, ଗହଳି ପୂର୍ଣ୍ଣ ଯାଗାକୁ ନ ଯିବା, ବାରମ୍ବାର ସାବୁନ୍ରେ ହାତ ଧୋଇ ଖାଦ୍ୟ ଗ୍ରହଣ
କରିବା, ମିଥ୍ୟା ଅପପ୍ରଚାରରେ ବିଚଳିତ ନ ହେବା ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀମାନେ ବୁଝାଇଥିଲେ ।
ଏହି ଅବସରରେ ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍
ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଡଃ ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲ୍ର ଅଧିକ୍ଷକ ପ୍ରଫେସର ଡଃ ପୁଷ୍ପରାଜ
ସାମନ୍ତସିଂହାର, ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସ, ନର୍ସିଂ ସୁପରିଟେଣ୍ଡେଂଟ ମୀନତି ମିଶ୍ର, ଆଡିସ୍ନାଲ୍ ନର୍ସିଂ
ସୁପରିଟେଣ୍ଡେଂଟ ଶୋଭାମଞ୍ଜରି ସାମଲ, ବାୟୋମେଡିକାଲ୍ ଇନ୍ଚାର୍ଜ ଡଃ ପ୍ରେମାନନ୍ଦ ତାଣ୍ଡି, ରୋଗୀ ସମ୍ପର୍କ
ଅଧିକାରୀ ଡଃ ଲିଙ୍ଗରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.