ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ଲାଗି ଯକୃତ ପ୍ରତିରୋପଣ କରି ଇତିହାସ ରଚିଛି ସମ୍ ହସ୍ପିଟାଲ । ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଶରୀରରୁ ଯକୃତ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । ୧୯ ବର୍ଷର ପୁଅ ନିଜ ବାପାଙ୍କୁ ଯକୃତ ପ୍ରଦାନ କରିଛନ୍ତି । ସମ୍ ହସ୍ପିଟାଲ ଓ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲର ଏକ ୪୦ଜଣିଆ ଡାକ୍ତରୀ ଦଳ ଦୀର୍ଘ ୯ ଘଣ୍ଟା ଧରି ଅସ୍ତ୍ରୋପଚାର କରି ଏହାକୁ ସଫଳ ରୂପ ଦେଇଛନ୍ତି ।
ବାଲେଶ୍ୱର ଜିଲ୍ଲା ନୀଳଗିରି ଔପଦା ବ୍ଲକର କାଣ୍ଠିଆଟିକରା ଗାଁର ଜୟନ୍ତ ବିଶ୍ୱାଳ(୫୫) ୪ବର୍ଷରୁ ଅଧିକ ହେବ ଯକୃତ ରୋଗରେ ପୀଡିତ ଥିଲେ । ସମ୍ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କ ଯକୃତ ଖରାପ ଥିବା ଜଣାପଡିଥିଲା । ଯକୃତ ପ୍ରତିରୋପଣ କରିବା ଜରୁରୀ ହୋଇପଡିଥିବାବେଳେ ଜୟନ୍ତ ବିଶ୍ୱାଳଙ୍କ ୧୯ ବର୍ଷର ପୁଅ ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ଡୋନର ଭାବେ ଚିହ୍ନଟ କରାଯାଇଥିଲା ।
ଗୁରୁବାର ଦିନ ଅପରାହ୍ନ ୩ଟା ସମୟରେ ପ୍ରତିରୋପଣ ଆରମ୍ଭ ହୋଇ ରାତି ପ୍ରାୟ ୧୨ଟାରେ ଶେଷ ହୋଇଥିଲା । ଏବେ ବାପ-ପୁଅ ସୁସ୍ଥ ଥିବା ଜଣାପଡିଛି ।
Comments are closed.