Latest Odisha News

BREAKING NEWS

ଆସୁଛି ପୁଣି ଏକ ଲଘୁଚାପ, ଝଡ଼ ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସମ୍ଭାବନାରେ ସତର୍କ ସୂଚନା ଦେଇଛନ୍ତି । ଓଡ଼ିଶା ଉପକୂଳର ମଧ୍ୟ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖରେ ଲଘୁଚାପର ନିଶ୍ଚିତ ସମ୍ଭାବନା ରହିଛି । ଫଳରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ, ପ୍ରାୟ ୧୮ ତାରିଖ ସକାଳ ବା ସନ୍ଧ୍ୟା ବେଳକୁ ଲଘୁଚାପ ଓଡ଼ିଶା ଉପକୂଳ ଛୁଇଁବ । ତେବେ ତା’ ପରଦିନ ବା ୨୦ ତାରିଖ ବେଳକୁ ଏହା ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି ।

ଏହା ଫଳରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲା ଗୁଡ଼ିକରେ ଝଡ଼ ତୋଫାନ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦିଆଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା – କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡ଼ା ।

ସେହିପରି ୨୦ ତାରିଖରୁ ତିନିଦିନ ଧରି ମଧ୍ୟମ ଧରଣର ବର୍ଷା ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଶେଷଜ୍ଞ ଶ୍ରୀ ସାହୁ ମଧ୍ୟ କହିଛନ୍ତି, ଅବପାତ ୨୨ ତାରିଖ ଆଡ଼କୁ ଧିରେ ଧିରେ ଦୁର୍ବଳ ହୋଇ କ୍ରମେ ପଶ୍ଚିମ ଛତିଶଗଡ଼ ଆଡ଼କୁ ମୁହାଁଇବ । ସେହିସମୟରେ ଓଡ଼ିଶାରେ ବର୍ଷାର ପ୍ରକୋପ ହ୍ରାସ ପାଇବାକୁ ଲାଗିବ ।

Leave A Reply

Your email address will not be published.