(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍’ର ଏହା ହେଉଛି ୨ୟ କଡ଼ି ।)
ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।
ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।
ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।
ହଁ, ମୁଁ ପାରିବି…
୧୯୨୩ ମସିହା କଥା । ପାଠପଢା ଆରମ୍ଭ ହୋଇଯାଇଥାଏ । ବଡ଼ଭାଇ ଜର୍ଜଙ୍କ ସହ ବିଜୁ ସ୍କୁଲ ଯାଆନ୍ତି । ସବୁ ପ୍ରଶ୍ନର ଚଟାପଟ ଉତ୍ତର ଦିଅନ୍ତି ବୋଲି ଶିକ୍ଷକମାନେ ଖୁବ୍ ତାକୁ ଭଲ ପାଆନ୍ତି । ସ୍କୁଲର ନାମ ମିଶନ୍ ସ୍କୁଲ, ସେଇ କଟକରେ । ପ୍ରଧାନ ଶିକ୍ଷକ ଥାଆନ୍ତି ଜଣେ ଗୋରା ସାହେବ । ନାଁ ମିଷ୍ଟର୍ ଓ କେ ମିଲମ୍ୟାନ୍ । ଟିକେ କଡ଼ା ମିଜାଜର କିନ୍ତୁ ଭଲ ପଢୁଥିବା ପିଲାଙ୍କ ପ୍ରତି ବେଶ୍ କୋମଳ ।
ସେଇଦିନୁ ସ୍କୁଲ ଯିବାରେ ବିଜୁ କେବେ ହେଳା କରୁନଥିଲେ । ବାହାନା କରି ସ୍କୁଲ ନ ଯାଇ ଘରେ ରହିବା ଗୁଣ ମୋଟେ ନଥିଲା ତାଙ୍କର । ମାଆଙ୍କର ଆଦର କଥା, ଭଲ ପିଲା ହେବୁ, କାହା ସାଙ୍ଗରେ କଳି କରିବୁନି । ମନେରଖ ବାପାଙ୍କ ପାଖକୁ ଯେମିତି ଫେରାଦ ନ ଆସେ ।
ବୟସରେ ସିନା ସାନ । ବଡ଼ ଭାଇ ଜର୍ଜଙ୍କ ଠାରୁ ସେ ଡେଙ୍ଗା ଦିଶନ୍ତି । ଦେହ ହୃଷ୍ଟପୃଷ୍ଟ । କେହି କେହି କହନ୍ତି, ବିଜୁ ଦେଖିବାକୁ ମାଆଙ୍କ ପରି । ପୂରିଲା ପୂରିଲା ମୁହଁ । ଓସାର କପାଳ ।
ବାପା ଘରକୁ ଆସିଲେ ସବୁ କୋଳାହଳ ଆପେ ବନ୍ଦ ହୋଇଯାଏ । ନିତି ସଞ୍ଜରେ ସେ ପାଠପଢା କଥା ପଚାରନ୍ତି । ଯେଉଁ ନିମ୍ନ ପ୍ରାଥମିକ ଶ୍ରେଣୀରେ ଥାଆନ୍ତି ବିଜୁ । ପାଠପଢା ବିଷୟ ସହିତ ଖେଳକୁଦ କଥା ପଚାରନ୍ତି । ଯେଉଁ ଖେଳ ହେଲେ ବି ପ୍ରଶ୍ନ ଆସେ ଆଜି କ’ଣ ହେଲା ଖେଳରେ ? ତୁ ଜିତିଲୁ ନା ହାରିଲୁ? ହାରିଯାଇଥିବା କଥା ଶୁଣିଲେ ନାରାଜ ହୋଇଯାଆନ୍ତି ବାପା । କହନ୍ତି, ସବୁବେଳେ ଜିଣିବାକୁ ମନୋଭାବ ରଖ । କାହାଠାରୁ ମାଡ଼ ଖାଇ ଘରକୁ ଫେରିଗଲେ ସରିଗଲା କଥା । ତଡ଼ି ଦିଅନ୍ତି ଘରୁ । ବାରଣ୍ଡାରେ ଠିଆ କରାଇ ଦିଅନ୍ତି । କାହାଠାରୁ ମାଡ଼ଖାଇ ଘରକୁ ଫେରିବା ପିଲାର ଏଠି ସ୍ଥାନ ନାଇଁ ମୋ ପାଖରେ କହି ଗର୍ଜି ଉଠନ୍ତି ସେ ।
ସେତେବେଳେ ତାଙ୍କ ନିଶ ଓ ଆଖି ଦୁଇଟାକୁ ଦେଖିବାର କଥା । ମାଆ ଆଶାଲତା ପାଟି ଫିଟାନ୍ତିନି ସ୍ୱାମୀଙ୍କ ତାଗିଦ୍ବେଳେ । କେବଳ ଖାଇପିଇ ସାରି ପିଲାମାନେ ଶୋଇବାକୁ ଗଲାବେଳେ ମୁଣ୍ଡରେ ହାତ ବୁଲେଇ ଆଣି କହନ୍ତି – ବାପାଙ୍କ କଥା ସବୁବେଳେ ମାନିବୁ । ତୁମମାନଙ୍କୁ ସେ ଟାଣ ହୋଇ ରହିବା ପାଇଁ ଚାହାଁନ୍ତି । ମନ ଦୁର୍ବଳ କଲେ ହାରିଯିବ ତୁମେମାନେ । ସେଇ ଛୋଟବେଳୁ ବିଜୁ ଦେଖିଥିଲେ ମାଆଙ୍କ ଭିତରେ ପରପାଇଁ କରୁଣାର ଧାରା । କେହି ଦୁଃଖୀରଙ୍କି ଦେଖିଲେ ମୁକ୍ତ ହସ୍ତରେ ସେ ଭରି ଦେଉଥିଲେ ସେମାନଙ୍କର ଅଣ୍ଟି । ଭୋକିଲା କେହି ଜଣେ ବି ଫେରେନି ତାଙ୍କ ଦୁଆରୁ ।
ବାପାଙ୍କର ଟାଣପଣ ସଙ୍ଗକୁ ମାଆଙ୍କର ପରପାଇଁ ବ୍ୟାକୁଳତା ପିଲାଟି ଦିନରୁ ତିଆରି କରିଥିଲା ତାଙ୍କୁ । କୌଣସି ବିପଦ ତାଙ୍କୁ ବିପଦ ଭଳି ଲାଗୁନଥିଲା । ବାପା କହୁଥିଲେ ସବୁ ବିପଦ ଗୋଟେ ଗୋଟେ ଆହ୍ୱାନ । ତା’କୁ ସାମନା କରିବା ହିଁ ଅସଲ ମଣିଷପଣିଆ । ‘ଡର ଲାଗିଲେ ଡରର କାରଣ ଆଗରେ ଠିଆ ହୋଇଯିବା ଯେ ଦରକାର । ଦେଖିବ ଡର ତୁମକୁ ଡରି ଆପେ କୁଆଡ଼େ ଛୁ’ ମାରିବ ।’
ଦିନେ ସଞ୍ଜରେ କହୁ କହୁ ଗୋଟିଏ ଆଦିବାସୀ ଯୁବକର କଥା କହିଥିଲେ ବାପା । ‘ବଣ ଭିତରେ ହଠାତ୍ ଏକ ମହାବଳ ବାଘ ସାମନାରେ ପଡ଼ିଯାଇଥିଲା ସେ । ଯୁବକ ହାତରେ ଥାଏ ଗୋଟିଏ ଠେଙ୍ଗା । ଏଡ଼େ ବଡ଼ ବାଘର କ’ଣ କରିପାରିବ ସେ ? ତାକୁ ହୁଏତ ତା ବାପା କି ଜେଜେବାପା ଶିଖେଇ ଥିବେ – ଡରକୁ ପଛକରି ଧାଇଁବୁ ନାହିଁ । ସେ ସେଇଆ କଲା । ବାଘର ଆଖି ସହ ଆଖି ମିଳାଇ ଠିଆ ହୋଇ ରହିଲା ସେଠି । ବାଘ ବି ଆଗ ଗୋଡ଼ ପକେଇ ବସି ରହିଲା ସାମନା କରି । ହଲ୍ ନାଇଁ ଚଲ୍ ନାଇଁ । ଖାଲି ଲାଞ୍ଜଟି ଏପଟ ସେପଟ ହେଉଥାଏ ମଝିରେ ମଝିରେ । ମୁଣ୍ଡ ଉପରେ ସୂର୍ଯ୍ୟ । ଘଡ଼ିଏ ଗଲା । ଅପଲକ ନୟନରେ ଚାହିଁଥାଏ ଯୁବକ । ଡାହାଣ ହାତରେ ଚିତେ ଉଚ୍ଚର ବାଉଁଶ ମୂଳି । ସୂର୍ଯ୍ୟ ଢଳିଲେ । ବାଘର କ’ଣ ମନ ହେଲା ହେଣ୍ଟାଳଟାଏ ପକେଇ ଉଠି ଚାଲିଗଲା ସେଠାରୁ । ଯୁବକ ଫେରିଲା ଠେଙ୍ଗା ବୁଲେଇ ବୁଲେଇ । “ଡ଼ର ନା ଫର !” ’
ଗୋଟାଏ ଅଜବ୍ ବାସ୍ନା ପରି କଥାଟା ପଶିଯାଇଥିଲା କୁନି ବିଜୁଙ୍କର ଛାତି ଭିତରେ ।
ସେ ଦିନ ପେଟ କାଟିଲାବେଳେ ସେଇ ‘ଡର ନା ଫର’ କାହାଣୀଟା ମନେ ପଡ଼ିଗଲା । ପେଟର ଯନ୍ତ୍ରଣା ବଢି ବଢି ଚାଲିଲା । କଷ୍ଟ ସମ୍ପର୍କରେ ବାପା କି ମାଆଙ୍କୁ କିଛି ଜଣେଇଲେ ନାହିଁ ସେ । ମାତ୍ର ଶେଷକୁ ପେଟକାଟିବା ଏମିତି ସ୍ତରକୁ ଗଲା ଯେ ଲାଗିଲା ସତେ ଯେମିତି ତାଙ୍କର ଚେତା ବୁଡ଼ିଯିବ । ବାଧ୍ୟ ହୋଇ ବାପାଙ୍କୁ ଜଣେଇଲେ ସେ । ହାଉଳି ପଡ଼ିଗଲା । ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଧରି ଦଉଡ଼ିଲେ ବାପା । ଡାକ୍ତର କହିଲେ ଏହା ‘ଆପେଣ୍ଡିସାଇଟିସ୍’ । ତୁରନ୍ତ ପେଟରେ ଅସ୍ତ୍ରୋପଚାର କରିବା କଷ୍ଟକର । ଯୋଗାଡ଼ ଯନ୍ତ୍ର ଚାଲିଲା । ଏ କ’ଣ ? ପରୀକ୍ଷା ମଝିରେ ଜଣ ପଡ଼ିଥିଲା ଯେ ପେଟ ଭିତରେ ‘ଆପେଣ୍ଡିସାଇଟିସ୍’ ଟା ଫାଟି ଯାଇଛି । ଅସ୍ତ୍ରୋପଚାର କରିବା କଷ୍ଟକର । ତେଣେ ଅପରେସନ୍ ନ’ହେଲେ ବଞ୍ଚିବା ଅସମ୍ଭବ । ବିନା ନିଶ୍ଚେତକରେ ପେଟ କାଟି ଅସ୍ତ୍ରୋପଚାର କରିବାକୁ ପଡ଼ିବ । ଏତେ ଛୋଟ ପିଲା । ସମ୍ଭାଳିବା ଅସମ୍ଭବ । ଧୈର୍ଯ୍ୟଧରି ପଡ଼ି ନ ରହିଲେ ଛୁରୀ ଚଳେଇବା ବିପଦପୂର୍ଣ୍ଣ । କେମିତି ଅପରେସନ୍ କରିବେ ବୋଲି ଚିନ୍ତାରେ ଥାଆନ୍ତି ଡକ୍ଟର ପିବଲ୍ସ ।
ବିଜୁଙ୍କର ବାପା ଲକ୍ଷ୍ମୀନାରାୟଣଙ୍କୁ ଡକ୍ଟର୍ କହିଲେ, ‘ପୁଅକୁ ପଚାରନ୍ତୁ, ସେ କଷ୍ଟ ସମ୍ଭାଳିପାରିବ ତ? ବାପା ପଚାରିବା ପୂର୍ବରୁ ସେଇ କଷ୍ଟ ଭିତରେ ବିଜୁ କହିଲେ ‘ହଁ ମୁଁ ପାରିବି ।’ ଆପଣ ଅପରେସନ୍ କରନ୍ତୁ ।’
ପୁଅକୁ ସାହସିକତାର କାହାଣୀ ଶୁଣାଉଥିବା ଲକ୍ଷ୍ମୀନାରାୟଣ ସେ ଅସ୍ତ୍ରୋପଚାର ଦେଖି ନିଜେ ଶଙ୍କି ଯାଇଥିଲେ ଭୟରେ । ବିଜୁ କିନ୍ତୁ ସ୍ଥିର ହୋଇ ରହିଥିଲେ ଡାକ୍ତରଙ୍କ କାମ ସରିବା ପର୍ଯ୍ୟନ୍ତ ।
ଅସ୍ତ୍ରୋପଚାର ସଫଳ ହୋଇଥିଲା । ବିପଦମୁକ୍ତ ହୋଇଥିଲେ ବିଜୁ । ଡକ୍ଟର ପିବଲ୍ସ ଶେଷରେ ଗଲାବେଳେ କହିଥିଲେ – “ଏ ବାଳକ ସାହସୀ ଆଉ ଦୁର୍ଦ୍ଧର୍ଷ । ସାଧାରଣ ବାଳକମାନଙ୍କଠାରୁ ପୂରାପୁରି ଅଲଗା ।”
(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.